ନିମାପଡ଼ା: କୋଣାର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ବୁମ ଠେଲି ଅପମାନିତ କରିବା ଘଟଣା । ଏଏସଆଇର କର୍ମଚାରୀଙ୍କୁ ଗିରଫ ଦାବିରେ କୋଣାର୍କ ସାମ୍ବାଦିକ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ କୋଣାର୍କ ଥାନା ସମ୍ମୁଖରେ ଦିଆଯାଇଥିଲା ଧାରଣା । ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବା ସହ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଅତିରିକ୍ତ ଏସପିଙ୍କ ପ୍ରତିଶ୍ରୁତି ପରେ ମଙ୍ଗଳବାର ଅପରାହ୍ନରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି ।
ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ଏଏସଆଇର ମନମାନି ଦିନକୁ ଦିନ ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଏପରିକି ଏଏସଆଇର କିଛି କର୍ମଚାରୀମାନେ କୋଣାର୍କର ସ୍ଥାନୀୟ ବାସିନ୍ଦା, ଫଟୋଗ୍ରାଫର, ଗାଇଡ୍ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଥିଲା । ଏପରି ଦୁର୍ବ୍ୟବହାର ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଗତ ଡିସେମ୍ବର ୩୧ ତାରିଖରେ ଜଣେ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପାଖକୁ ଯାଇଥିଲେ ।
ଏହି ସମୟରେ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଫାଟକ ସମ୍ମୁଖରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରାଯାଉଥିବା ବେଳେ ଖବର ସଂଗ୍ରହ କରୁଥିବା ସମୟରେ ଜଣେ ଏଏସଆଇ କର୍ମଚାରୀ ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଏନେଇ ସାମ୍ବାଦିକଙ୍କ ପକ୍ଷରୁ ଉକ୍ତ ଦିନ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଥାନା ପକ୍ଷରୁ ୨୬୭/୨୩ରେ ମାମଲା ରୁଜୁ କରାଯାଇ ଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ନଥିବାରୁ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରିବା ସହ କୋଣାର୍କ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ।