ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ପାଉନି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ନ ପାଇବାକୁ ନେଇ ପ୍ରତିବାଦ କରିଛି ପୁରୀର ଶ୍ରୀଜଗନ୍ନାଥ ସେନା । ଏଣୁ ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବାକୁ ଥିବା ବେଳେ ଏହାକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା । ଭକ୍ତଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ପରିଚାଳନା କମିଟିରେ ଆଲୋଚନା ହେଉନି ବୋଲି ଜଗନ୍ନାଥ ସେନା ଅଭିଯୋଗ କରିଛି । ଏ ନେଇ ଜଗନ୍ନାଥ ସେନା ପକ୍ଷରୁ ଏକ ସ୍ମାରକ ପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରାଯାଇଛି ।
ସେନାର କହିବା ଅନୁସାରେ ଭକ୍ତମାନେ ଖରା, ବର୍ଷାରେ ଲମ୍ବା ଲାଇନରେ ଦୀର୍ଘ ସମୟ ଠିଆ ହୋଇ ରହୁଥିବା ବେଳେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଦାବି ଜୋର ଧରୁଛି । ହେଲେ ଏହି ପ୍ରସଙ୍ଗ ପରିଚାଳନା କମିଟିରେ ପ୍ରସଙ୍ଗ ଭାବେ ଆଲୋଚୋନା ହେଉନାହିଁ । ସେହିପରି ରତ୍ନ ଭଣ୍ଡାର ମରାମତି, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ନେଇ ଭକ୍ତ ମହଲରେ ଦାବି ହେଉଥିବା ବେଳେ ଏହି ପ୍ରସଙ୍ଗକୁ ଅଣଦେଖା କରାଯାଇ ପରିଚାଳନା କମିଟିରେ ଏ ନେଇ ଆଲୋଚନା ହେଉନାହିଁ ।
ଏହା ବି ପଢନ୍ତୁ- ଶ୍ରୀମନ୍ଦିର ୪ଦ୍ବାର ଖୋଲିବା ଲାଗି ସେବାୟତଙ୍କ ଦାବି, ପ୍ରକଳ୍ପ ଶେଷ ପରେ ନିଷ୍ପତ୍ତି ନିଆଯିବ କହିଲେ ଜିଲ୍ଲାପାଳ
ସେହିପରି ଶ୍ରୀମନ୍ଦିର ସିଂହଦ୍ଵାରରେ ଲାଗିବା ପାଇଁ ତିଆରି ହୋଇଥିବା ଦଶାବତାର ମୂର୍ତ୍ତି ଲଗାଇବେରେ ଅବହେଳା, ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ଥାୟୀ ସେଡ ନିର୍ମାଣ ନ କରି ଅସ୍ଥାୟୀ ସେଡ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ବ୍ୟୟ କରାଯିବା, ଏମାର ମଠରୁ ବାହାରିଥିବା ରୂପା ଇଟାକୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନ ଆଣିବା ଆଦି ବିଭିନ୍ନ ପ୍ରସଙ୍ଗ ପରିଚାଳନା କମିଟିରେ ପ୍ରସଙ୍ଗ ଭାବେ ସ୍ଥାନ ନ ପାଇବାକୁ ଜଗନ୍ନାଥ ସେନା ଦୃଢ଼ ବିରୋଧ କରିଛି । ତେବେ ରତ୍ନ ଭଣ୍ଡାର ଲୁଟ ହୋଇଥିବା ଯୋଗୁଁ ଏହାକୁ ଖୋଲିଦେଲେ ଭକ୍ତଙ୍କ ଆକ୍ରୋଶର ଶିକାର ହୋଇ ସରକାର ଭାଙ୍ଗିଯିବା ଭୟରେ ରତ୍ନ ଭଣ୍ଡାର ଖୋଲିବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି।
ମହାପ୍ରଭୁଙ୍କ କୋହିନୂର ହୀରାକୁ ଫେରାଇ ଆଣିବା ନେଇ ମଧ୍ୟ କେବେ ବି ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚୋନା ହୋଇନାହିଁ । କେବଳ ଖଣି ଲିଜ, ଜମି ବିକ୍ରି ପ୍ରସଙ୍ଗ ଯେଉଁଥିରେ କି ପିସି ଭାଗ ରହିଛି ସେହି ପ୍ରସଙ୍ଗ କେବଳ ଆଲୋଚନା ହେଉଥିବା ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ତେବେ ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ପ୍ରସଙ୍ଗ ଶ୍ରୀମନ୍ଦିର ପରିଚଳନା କମିଟିରେ ସ୍ଥାନ ଦେବାକୁ ଜଗନ୍ନାଥ ସେନା ଦାବି କରିଛି । ଏହି ପ୍ରସଙ୍ଗରେ ଜଗନ୍ନାଥ ସେନା ପକ୍ଷରୁ ଏକ ସ୍ମାରକ ପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହାର ନକଲ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ଆଇନ ମନ୍ତ୍ରୀଙ୍କୁ ଦିଆଯିବ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ପୁରୀ