ଓଡିଶା

odisha

ETV Bharat / state

ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ଶୁଣାଣି ପରେ ମିଠା ବାଣ୍ଟିଲା ଜଗନ୍ନାଥ ସେନା, 7ଦିନରେ କମିଟି ଗଠନ ଦାବି

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଶୁଣାଣି ପରେ ଦୀପଦାନ ସହ ମିଷ୍ଟାନ୍ନ ବଣ୍ଟନ କରିଛି ଜଗନ୍ନାଥ ସେନା। ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ 7 ଦିନ ଭିତରେ କମିଟି ଗଠନ କରିବାକୁ ଦାବି ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 30, 2023, 6:00 PM IST

ratna bhandar issue
ଦୀପଦାନ ସହ ମିଷ୍ଟାନ୍ନ ବଣ୍ଟନ କଲା ଜଗନ୍ନାଥ ସେନା

ଦୀପଦାନ ସହ ମିଷ୍ଟାନ୍ନ ବଣ୍ଟନ କଲା ଜଗନ୍ନାଥ ସେନା

ପୁରୀ:ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ। ଶୁକ୍ରବାର ହାଇକୋର୍ଟରେ ଶୁଣାଣି ପରେ ଦୀପଦାନ ସହ ମିଷ୍ଟାନ୍ନ ବଣ୍ଟନ କରିଛି ଜଗନ୍ନାଥ ସେନା। ତେବେ 7 ଦିନ ଭିତରେ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ 2 ମାସ ଭିତରେ ଏକ କମିଟି ଗଠନ କରିବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ଜଗନ୍ନାଥ ପ୍ରେମୀ ସ୍ୱାଗତ କରିଥିବାବେଳେ ଜଗନ୍ନାଥ ସେନା ମଧ୍ୟ ଏହି ନିର୍ଦ୍ଦେଶକୁ ସ୍ୱାଗତ କରିଛି। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରାଯାଇଥିବାବେଳେ ଭକ୍ତଙ୍କ ମଧ୍ଯରେ ମିଷ୍ଟାନ୍ନ ବଣ୍ଟନ କରିଛି ଜଗନ୍ନାଥ ସେନା ।

ତେବେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ରତ୍ନ ଭଣ୍ଡାର ଖୋଲିବା ନେଇ ଜଗନ୍ନାଥ ସେନା ଦୀର୍ଘ ଦିନ ହେବ ଆନ୍ଦୋଳନ କରି ଆସୁଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏହି ପ୍ରସଙ୍ଗକୁ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇଛି। ରତ୍ନ ଭଣ୍ଡାର ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି। ତେବେ ହାଇକୋର୍ଟ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ 60 ଦିନ ସମୟ ଦେଇଛନ୍ତି । ଯଦି ପ୍ରକୃତରେ ଶ୍ରୀମନ୍ଦିର ପ୍ରଶାସନ ପ୍ରଭୁ ଜଗନ୍ନାଥଙ୍କୁ ସମ୍ମାନ ଦେଉଛି ତାହେଲେ 7 ଦିନ ଭିତରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରୁ। କମିଟି ଗଠନ କରିବା ଆଳରେ 2 ମାସ ସମୟ ନେଇ ଆଉ ଭେଳିକି ନ ଦେଖାଉ ଶ୍ରୀମନ୍ଦିର ପ୍ରଶାସନ।"

ଏହା ବି ପଢନ୍ତୁ...Ratna Bhandar Issue: ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ହସ୍ତକ୍ଷେପ କଲେନି ହାଇକୋର୍ଟ

ସେପଟେ ସତ୍ୟପାଠ ସମୟରେ ରାଜ୍ୟ ସରକାର ମାଗିଥିବା 2 ମାସର ମହଲତକୁ ନେଇ ଚିନ୍ତା ପ୍ରକଟ କରିଛି ଜଗନ୍ନାଥ ସେନା। କମିଟି ଗଠନ ଆଳରେ ସମୟ ଗଡ଼ାଇବା ରାଜ୍ୟ ସରକାରଙ୍କର ଏକ ଚାଲ୍ ବୋଲି କହିବା ସହ ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି। ଏହାସହ ସାଢ଼େ 4 କୋଟି ଓଡିଆଙ୍କ ଦାବିକୁ ଦୃଷ୍ଟିରେ ରଖି ଶ୍ରୀ ମନ୍ଦିର ପ୍ରଶାସନ ତୁରନ୍ତ 7 ଦିନ ଭିତରେ କମିଟି ଗଠନ କରି ଆସନ୍ତା 2 ମାସ ଭିତରେ ରତ୍ନ ଭଣ୍ଡାର ଖୋଲିବା ସହ ଭକ୍ତଙ୍କ ପାଇଁ 4 ଦ୍ଵାର ଖୋଲିବାକୁ ଜଗନ୍ନାଥ ସେନା ଦାବି କରିଛି।



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details