ପୁରୀ:ଅନ୍ତର୍ଜାତୀୟ ଖେଳାଳି ଏବେ ସିକ୍ୟୁରିଟି ଗାର୍ଡ । ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁଁ ଦେଶ ପାଇଁ ଗୌରବ ଆଣିଥିବା ହ୍ୟାଣ୍ଡବଲ ଖେଳାଳି ଏବେ ରାତି ଜଗୁଆଳି । କଥାଟା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଆମେ କହୁଛୁ ପୁରୀର ଆକାଶ କୁମାର ପଟ୍ଟନାୟକଙ୍କ କଥା। 2019ରେ ଆକାଶ ଭାରତୀୟ ହ୍ୟାଣ୍ଡବଲ ଟିମ୍ର ସଦସ୍ୟ ହୋଇ ଉଜବେକିସ୍ଥାନର ତାସକେଣ୍ଡରେ ଅନୁଷ୍ଠିତ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ଚମ୍ପିଆନସିପରେ ଭାରତକୁ ରୌପ୍ୟ ପଦକ ଦେଇ ଦେଶ ପାଇଁ ଗୌରବ ଆଣିଥିଲେ। ସେତେବେଳେ ଏହି ସଫଳତା ପାଇଁ ତାଙ୍କୁ ନେତା ମନ୍ତ୍ରୀଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟି ଥିଲା । ହେଲେ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଥିବା ଆକାଶଙ୍କୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଯେମିତି ଭୁଲି ଯାଇଛନ୍ତି ।
ଦେଶର ବିଭିନ୍ନ ରାଜ୍ୟରେ ଦେଶ ପାଇଁ ସଫଳତା ଆଣିଥିବା ଖେଳାଳିଙ୍କୁ ସରକାର ଚାକିରି ସହ ବିଭିନ୍ନ ସହାୟତା ଦେଉଥିବା ବେଳେ ଓଡ଼ିଶା ସରକାର କିନ୍ତୁ ଆକାଶଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ଦିନେ ଦେଶ ପାଇଁ ସୁନାମ ଆଣିଥିବା ଆକାଶ ଏବେ ନିଜ ପରିବାର ପେଟରେ ଦାନା ପାଇଁ ସିକ୍ୟୁରିଟି ଗାର୍ଡ କାର୍ଯ୍ୟକୁ ଆପଣାଇ ନେଇଛନ୍ତି । ସବୁଠୁ ଦୁଃଖର ବିଷୟ ଆକାଶ କହିଛନ୍ତି ଦେଶ ପାଇଁ କ୍ରୀଡା ଖେଳି ତାଙ୍କ ଭଳି ଆଉ କେହି ହୀନସ୍ତା ନହୁଅନ୍ତୁ ।
ଆକାଶ ପଟ୍ଟନାୟକ ପିଲାଟି ଦିନରୁ ଦେଶ ପାଇଁ ସୁନାମ ଆଣିବାକୁ ଜୀବନର ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ସେ 2012 ମସିହାରେ ହ୍ୟାଣ୍ଡବଲ ଖେଳକୁ ନିଶା ଓ ପେଶା ରୂପେ ଗ୍ରହଣ କରିଥିଲେ। ପରେ ସେ ଜିଲ୍ଲା, ରାଜ୍ୟ ପାଇଁ ଖେଳି ସଫଳ ହେବା ପରେ ଭାରତୀୟ ହ୍ୟାଣ୍ଡବଲ ଟିମ୍ରେ ସ୍ଥାନ ପାଇ ଅନ୍ତର୍ଜାତୀୟ ଚମ୍ପିଆନ୍ସିପ୍ ଖେଳି ଦେଶକୁ ରୌପ୍ୟ ପଦକ ଦେଇଥିଲେ । ହେଲେ ଅର୍ଥ ଅଭାବରୁ ଆକାଶ ସଠିକ ଅଭ୍ୟାସ କରି ପାରୁ ନଥିବା ବେଳେ ଆଉ ସେ ଦେଶ ପାଇଁ ଖେଳି ପାରିବେ କି ନାହିଁ ସେନେଇ ଏବେ ଆଶଙ୍କାରେ ଅଛନ୍ତି ।
ଏହାକୁ ନେଇ ଆକାଶ କହିଛନ୍ତି, "ଓଡ଼ିଶା ସରକାର ରାଜ୍ୟରେ ବିଶ୍ୱକପ୍ ହକି ଆୟୋଜନ ପାଇଁ କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । କିନ୍ତୁ ଓଡ଼ିଶା ସରକାରଙ୍କ କ୍ରୀଡା ପ୍ରତି କେତେ ଆନ୍ତରିକତା ରହିଛି ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର କେବଳ ହକି କ୍ରୀଡା ଗୁରୁତ୍ଵ ନଦେଇ ସବୁ କ୍ରୀଡ଼ାର ବିକାଶ ଦିଗରେ ଆଗେଇ ଆସିବା ଉଚିତ। ଏହା ଦ୍ବାରା ରାଜ୍ୟରୁ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଉଚ୍ଚ ମାନର ଖେଳାଳି ବାହାରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ପାରିବେ।"