ପୁରୀ: ଚୋରି ଘଟଣାରେ ଆନ୍ତଃଜିଲ୍ଲା ଏକ ଅପରାଧିକୁ ଗିରଫ କଲା ପୁରୀ ପୋଲିସ । ଲୁଟେରା ପଟୁ ଓରଫ ଶାହାଜାହାନ ଖାନ ଓ ତାର ସହଯୋଗୀ ଆନନ୍ଦ ବିଶୋଇକୁ ଗିରଫ କରାଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କଠାରୁ 2ଟି ସୁନା ଚେନ୍, ଏକ ବାଇକ, ଛୁରୀ ଜବତ କରାଯାଇଛି । ଲୁଟେରା ପଟୁ ଖାନକୁ ପୋଲିସ ଏବେ ପଚରଉଚରା କରୁଛି । ସେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭୁବନେଶ୍ଵର ଓ କଟକରେ ଚୋରି, ଡକାୟତି, ଛିନତାଇ ଭଳି ଅପରାଧ ଘଟାଏ । ତାନାମରେ ବିଭିନ୍ନ ଜିଲ୍ଲାରେ 30ରୁ ଅଧିକ ମାମଲା ରହିଛି ।
ଗତ କିଛିଦିନ ହେଲା ସାକ୍ଷୀଗୋପାଳ, ପୁରୀରେ ଛିନତାଇ ଘଟଣା ବଢ଼ି ଚାଲିଥିବା ବେଳେ ଏହା ପୋଲିସର ମୁଣ୍ଡ ବ୍ୟଥାର କାରଣ ସାଜିଥିଲା । ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଏକ ସନ୍ଦିଗ୍ଧ ବାଇକ୍ ପୋଲିସ ଠାବ କରି ସେହି ନମ୍ୱରରେ ଯାଞ୍ଜ କରିଥିଲା । ଏହି ବାଇକଟି ପଟୁ ଓରଫ ଶାହାଜାହାନ ଖାଁ ବ୍ୟବହାର କରୁଥିବା ପୋଲିସ ସୂଚନା ପାଇଥିଲା । ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଶାହାଜାହାନର ଗତିବିଧି ଉପରେ ନଜର ରଖାଯାଇଥିଲା । ଖବର ମିଳିବା ପରେ ଚଢ଼ାଉ କରାଯାଇ ପଟୁ ଓ ତାର ସହଯୋଗୀ ଆନନ୍ଦକୁ ପୋଲିସ୍ ଧରିଥିଲା । ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ହୋଇଥିବା ଶାହାଜାହାନ ଖାଁ ପୁରୀ ଗୋପ ବଜାରର ମୁସଲିମ ବସ୍ତିର ବାସିନ୍ଦା ଓ ତାର ସହଯୋଗୀ ଆନନ୍ଦ କୁମାର୍ ବିଷୋୟୀ ଗଞ୍ଜାମ ଭଞ୍ଜନଗରର ବେଣକୁଦା ଗ୍ରାମର ବୋଲି ଜଣାପଡ଼ିଛି ।