ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭଗୃହ

ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତି, ରତ୍ନ ସିଂହାସନର ଯାଞ୍ଚ ଓ ମରାମତି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

sri mandir sanctum sanctorum
ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭଗୃହ

By

Published : May 26, 2023, 5:17 PM IST

Updated : May 26, 2023, 7:41 PM IST

ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ: ଆସନ୍ତା ଜୁନ ୨୦ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରତ୍ନ ସିଂହାସନ ଛାଡ଼ି ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ। ରଥଯାତ୍ରା ଠାରୁ ବାହୁଡା ଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତି, ରତ୍ନ ସିଂହାସନର ଯାଞ୍ଚ ଓ ମରାମତି କରାଯିବ । ଏଥିସହ ନାଟମଣ୍ଡପ, ଜଗମୋହନର ଚାଲିଥିବା ରକ୍ଷଣାବେକ୍ଷଣ କାର୍ଯ୍ୟ ଅନୁଧ୍ୟାନ କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।



ଶ୍ରୀମନ୍ଦିର ଗର୍ଭଗୃହର ହେବ ଯାଞ୍ଚ । ଜଗମୋହନ, ନାଟମଣ୍ଡପ ଏବଂ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ସ୍ଥିତି ଯାଞ୍ଚ କରାଯିବା ସହ ଆବଶ୍ୟକ ସ୍ଥଳେ ମରାମତି ମଧ୍ୟ ହେବ । ଏଏସଆଇ ଏହାକୁ ଯାଞ୍ଚ କରିବା ସହ ମରାମତି ମଧ୍ୟ କରିବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ଆସନ୍ତା ରଥଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରାରେ ବିଜେ କରିବା ପରେ ଏହାରି ଭିତରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ସହ ନାଟମଣ୍ଡପ, ଜଗମୋହନ, ରତ୍ନ ସିଂହାସନ, ପ୍ରଥମ ମହଲା ଓ ଦ୍ବିତୀୟ ମହଲାର ରୁଟିନ ଯାଞ୍ଚ କରାଯାଇ ରାସାୟନିକ ପ୍ରଲେପ ଓ ସଫେଇ କାର୍ଯ୍ୟ କରାଯିବ ।



ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ବୈଠକରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି । ଯାହାକି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହୋଇଛି । ତେଣୁ ଏହି ସମସ୍ୟାର ସମାଧାନ କିଭଳି ଶୀଘ୍ର କରାଯିବ ସେନେଇ ବିଭିନ୍ନ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ । ସେହିପରି ଜଗମୋହନରେ ପର୍ଯ୍ୟାପ୍ତ ବାୟୁ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବା ସହ ସେଠାରେ ଏକ ଶୀତତାପ ନିୟନ୍ତ୍ରିତ ମେସିନ ଲଗାଯିବା ନେଇ ବ୍ୟବସ୍ଥା କରାଯାଉଛି । ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଅସରପାକୁ କିଭଳି ନିୟନ୍ତ୍ରଣ କରିହେବ ସେନେଇ ପଦକ୍ଷେପ ନିଆଯିବ । ଗର୍ଭଗୃହ ଭିତରେ ଠାକୁରଙ୍କ ଆଳତୀ ଯୋଗୁଁ କଳା ଧୂଆଁ ପଡିଥିବା ପ୍ରଲେପକୁ ଏକ ସ୍ବତନ୍ତ୍ର ତରଳ ପଦାର୍ଥ ମାଧ୍ୟମରେ ସଫା କରାଯିବ । ୧୯୯୨ରେ ଗର୍ଭଗୃହ ଭିତରେ ଲାଗିଥିବା ଷ୍ଟିଲ କ୍ଲାମ୍ପର ସ୍ଥିତି ମଧ୍ୟ ଅନୁଧ୍ୟାନ କରାଯିବ ଏବଂ ଶ୍ରୀମନ୍ଦିର ନାଟମଣ୍ଡପ ମୂଳ ସ୍ତମ୍ଭ ଗୁଡ଼ିକରେ ହୋଇଥିବା ମରାମତି କାର୍ଯ୍ୟର ପୁନଃ ଅନୁଧ୍ୟାନ କରାଯିବ ।"

ଶ୍ରୀମନ୍ଦିର ନାଟମଣ୍ଡପର ବିମ ଗୁଡ଼ିକ ଭାର ସମ୍ଭାଳିବାରେ କେତେ ସକ୍ଷମ ସେସବୁ ଗୁଡ଼ିକ ମଧ୍ୟ ଆକଳନ କରିବ ଏଏସଆଇ । ବଡଦେଉଳ ପଥର ଯୋଡିର ସ୍ଥିତି ଓ ପଥର ନଷ୍ଟ ହେଉଛି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯିବ । ତେବେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ମଧ୍ୟରେ ଏସବୁ କାର୍ଯ୍ୟର ଯାଞ୍ଚ କରାଯାଇ ମରାମତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଇଟିଭି ଭାରତ, ପୁରୀ

Last Updated : May 26, 2023, 7:41 PM IST

ABOUT THE AUTHOR

...view details