ପୁରୀ:ମହାନଦୀରେ ଜଳସ୍ତର ବଢିବା ପରେ ଏହାର ଶାଖା ନଦୀରେ ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ତଳିଆ ଅଞ୍ଚଳ ଭାବେ ପୁରୀ ଜିଲ୍ଲାର ଗୋପ, କାକଟପୁର ଓ କଣାସ ଅଞ୍ଚଳ ବାସିନ୍ଦା ପ୍ରଭାବିତ ହୋଇଛନ୍ତି। ଗତ କିଛିଦିନ ତଳେ ପ୍ରବଳ ଲଘୁଚାପ ବର୍ଷା ଯୋଗୁଁ ଠିକ ବର୍ଷା ଜଳ ନିଷ୍କାସନ ହୋଇ ପାରି ନ ଥିଲା । ବିଶେଷ କରି ନଦୀ ଓ ନାଳ ପାଣିରେ ଭର୍ତି ଥିବା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ପାରିନାହିଁ। ଫଳରେ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଛି ।
ଜିଲ୍ଲାର ଲୁଣା, ରତ୍ନଚିରା, ଦୟା, ଭାର୍ଗବୀ ଓ କୁଶଭଦ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଗୋପ, କଣାସ, କାକଟପୁର ଆଦି ବ୍ଳକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦାଣ୍ଡ ଦୁଆରେ କେଉଁଠି ଅଣ୍ଟାଏ ଉଚ୍ଚର ପାଣି ଚାଲୁଚି ତ ଆଉ କେଉଁଠି 4 ଫୁଟର ପାଣି ଚାଲିଛି। କେତେକ ସ୍ଥାନରେ ପ୍ରଶାସନ ପହଞ୍ଚି ସାହାଯ୍ୟ ଯୋଗାଇ ଥିବା ବେଳେ କେତେକ ସ୍ଥାନରେ ପ୍ରଶାସନ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବନ୍ୟା ବିପନ୍ନଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପୁରୀ ଜିଲ୍ଲା କଣାସ ଅଞ୍ଚଳର ଦୋକନ୍ଦା ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି। ଲୋକଙ୍କ ଘରେ ପାଣି ପଶିଯାଇଛି। ଦୟା ନଦୀରେ ମହାନଦୀର ଜଳ ପ୍ରବାହ ହେଉଥିବା ଯୋଗୁଁ ଏଭଳି ସ୍ଥିତି ହୋଇଥିବା ଜଣାପଡିଛି।