ବ୍ରହ୍ମଗିରି: 8 ବର୍ଷ ଧରି ମାରାତ୍ମକ ଏଚଆଇଭି ଓ ବୋନ ଟିଭିରେ ପୀଡିତ ହୋଇ ଶଯ୍ୟାଶାୟୀ । ମୁଣ୍ଡ ଉପରେ ଭିନ୍ନକ୍ଷମ ଝିଅ ଓ 7 ବର୍ଷର ପୁଅର ପାଳନ ପୋଷଣ ଚିନ୍ତା । ଚିକିତ୍ସା ଛାଡ ଖାଇବାକୁ ମଧ୍ୟ 2 ଓଳି ପେଟପୂରା ମିଳୁନି । ଘର ଖଣ୍ଡିକ ବି ଫନି ବାତ୍ୟାରେ ଉଡିଗଲା । ଦୁଃଖ ଦରିଆ ଭିତରେ ଯେପରି ସରକାରୀ ସହାୟତାଙ୍କୁ ଚାତକ ଭଳି ଅନାଇସିଛନ୍ତି ବ୍ରହ୍ମଗିରି ବ୍ଲକ କାଣ୍ଡଗଦା ପଞ୍ଚାୟତର ମୁଣ୍ଡାଳ ଗ୍ରାମର ଶରତ ପ୍ରଧାନ ।
ଶରତ ଦିଲ୍ଲୀ ଯାଇ ଢଳାଇ ମୂଲିଆ ଭାବେ କାମ କରି ପରିବାର ପୋଷୁଥିଲେ । ବେଶ 2 ପଇସା ରୋଜଗାର କରି ସ୍ତ୍ରୀ ,ଗୋଟିଏ ଝିଅ ଓ ପୁଅକୁ ନେଇ ଛୋଟ ପରିବାରଟି ସୁରୁଖୁରୁରେ ଚଳି ଯାଉଥିଲା।
ହେଲେ 8ବର୍ଷ ତଳେ ଦିଲ୍ଲୀରେ ଶରତ ଥିବା ବେଳେ ତାଙ୍କର ହଠାତ ଦେହ ଖରାପ ହେଲା । ସ୍ଥାନୀୟ ଡାକ୍ତର ଖାନାରେ ଚିକିତ୍ସା କରାଇବାରୁ ଜାଣିବାକୁ ପାଇଲେ ସେ ଏଚଆଇଭି ଓ ବୋନ ଟିବି ରେ ଆକ୍ରାନ୍ତ ହୋଇଛନ୍ତି। ସେଠାରେ ଡାକ୍ତର କିଛି ଦିନ ଚିକିତ୍ସା କରିବା ପରେ ଓଡିଶା ପଠାଇ ଦେଲେ। ସେହି ଦିନ ଠାରୁ ନିଜର ବୋଲି ଥିବା ଗୋଟିଏ କୁଡ଼ିଆ ଘରେ ପଡି ରହିଛନ୍ତି।
କିନ୍ତୁ ଫନି ବାତ୍ୟାରେ ସେହି କୁଡ଼ିଆ ଘରଟି ବି ଉଡିଗଲା। ଏହା ପରେ ସ୍ତ୍ରୀ ସୁକାନ୍ତି ଗ୍ରାମବାସୀଙ୍କ ପାଖରେ ଗୁହାରି କରିବାରୁ ଗ୍ରାମରେ ଥିବା ଅର୍ଦ୍ଧନିର୍ମିତ ଅଙ୍ଗନବାଡି ଘରେ ମୁଣ୍ଡ ଗୁଞ୍ଜିବା ପାଇଁ ସହାରା ମିଳିଗଲା। ପରେ 7ବର୍ଷର ପୁଅକୁ ଏକ ଆଶ୍ରମ କୁ ଛାଡି ରୋଗିଣା ସ୍ବାମୀ ଓ ଭିନ୍ନକ୍ଷମ ଝିଅକୁ ଧରି ସୁକାନ୍ତି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।