ଭୁବନେଶ୍ବର: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ବର୍ଣ୍ଣ ଅଳଙ୍କାର ଲାଗି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସେବା ପୂଜା ଯେମିତି ସ୍ବତନ୍ତ୍ର ବେଶ ମଧ୍ୟ ସେହିପରି ଚିତ୍ତହରଣକାରୀ । ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜୀଉ । ଏହି ରାଜବେଶ ବା ବଡ଼ତଢାଉ ବେଶ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।
ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ରାତ୍ର କାଳରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ମାଧୁର୍ଯ୍ୟ ଲାବଣ୍ୟ ଝରୁଥିବା ବେଳେ ସମସ୍ତ ବେଶ ଠାରୁ ଏହା ଐଶ୍ବର୍ଯ୍ୟାତ୍ମକ । ଆସନ୍ତୁ ଜଣିବା ଏହି ସୁନାବେଶ ପଛର ରହସ୍ୟ ଘେରା କାହାଣୀ ।
ଗବେଷକଙ୍କ ମତ ଅନୁଯାୟୀ ସୁନାବେଶ 1232 ମସିହାରୁ ଆରମ୍ଭ ହୋଇଛି । ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ । [୩]ରାଜା ମହାରାଜା ମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ । କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ ।