ବ୍ରହ୍ମଗିରି: ବିପର୍ଯ୍ୟସ୍ତ ଅବସ୍ଥାରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା । କିନ୍ତୁ ସରକାର ଛାତ୍ରଛାତ୍ରୀଙ୍କୁ ଦେଖାଇ ଚାଲିଛନ୍ତି ବିକାଶର ସ୍ୱପ୍ନ । ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ର ଓଜନ କମାଇବାରେ ବ୍ୟସ୍ତ ଥିବା ରାଜ୍ୟ ସରକାର ଶିକ୍ଷକ ପଦ ଖାଲି ନେଇ ଟିକେ ବି ଚିନ୍ତିତ ନଥିବା ପରି ମନେ ହେଉଛି । ଅନିଶ୍ଚିତତା ମଧ୍ୟରେ ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମଗିରିରେ । ଭୁଶୁଡ଼ି ଯାଇଛି ବ୍ରହ୍ମଗିରି ବ୍ଲକରେ ଶିକ୍ଷା ବ୍ୟବସ୍ଥା । 2ଟି ଶିକ୍ଷକଙ୍କୁ ନେଇ ଚାଲିଛି ସରକାରୀ ହାଇସ୍କୁଲ । ସବୁ ଦେଖି ଶିକ୍ଷା ବିଭାଗ ଆଖି ବୁଜି ଦେଇଛି । ଆଗାମୀ ପିଢ଼ିର ଭବିଷ୍ୟତଙ୍କୁ ନେଇ ଖେଳୁଛନ୍ତି ସରକାର।
ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ସର୍ବ ପୁରାତନ ବିଦ୍ୟାଳୟ ହେଉଛି ଖଜୁରିଆର ବାଲୁଙ୍କେଶ୍ବର ନୋଡାଲ ବିଦ୍ୟାପୀଠ । ଅତୀତରେ ଅଞ୍ଚଳର ଖ୍ୟାତି ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଗଢି ତୋଳିଛି ଏହି ବିଦ୍ୟାଳୟ । ହେଲେ ଏବେ ଏହି ସ୍କୁଲ ହୋଇଯାଇଛି ଅଣଦେଖା । 300ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ନିୟୋଜିତ ହୋଇଛନ୍ତି 2ଜଣ ଶିକ୍ଷକ । ସେଥିମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ନିଯୁକ୍ତି ହୋଇଥିବା କିରାଣୀ ଆସୁନଥିବାରୁ କିରାଣୀ କାର୍ଯ୍ୟ ମଧ୍ୟ ତୁଲାଉଛନ୍ତି । ମାସକରେ କିଛି ଦିନ ଅଫିସ କାର୍ଯ୍ୟରେ ବାହାରକୁ ଯିବାକୁ ପଡ଼ିଥାଏ। କହିବାକୁ ଗଲେ ଜଣେ ଶିକ୍ଷକ ସ୍କୁଲରେ ଉପସ୍ଥିତ ରହି 300 ପିଲାଙ୍କୁ ପଢ଼ାଇବା ବଦଳରେ କେବଳ ଜଗି ରହିଥାନ୍ତି ।