ପୁରୀ:ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ପାଇଁ ଲୋକାର୍ପିତ ହେବ । ଏଥିପାଇଁ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ତିନି ଦିନ ଧରି ଅର୍ଥାତ୍ ଜାନୁଆରୀ ୧୫ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ୧୭ ତାରିଖ ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୂର୍ଣ୍ଣାହୁତି ଦେବେ । ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହେବାକୁ ଥିବାରୁ ଜାନୁଆରୀ ୧୨ ତାରିଖରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ । ଏହି ଅବସରରେ ସମସ୍ତ ମଠର ମଠାଧୀଶ, ବରିଷ୍ଠ ବ୍ୟକ୍ତିବିଶେଷ, ସେବାୟତ, ଛତିଶା ନିଯୋଗ ମହାନାୟକ, ଶ୍ରୀମନ୍ଦିର ପୁରୋହିତ, ମୁକ୍ତିମଣ୍ଡପ ବ୍ରାହ୍ମଣ ଉପସ୍ଥିତ ରହିବେ । ପୂର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଶୁକ୍ରବାର ଅନୁଷ୍ଠିତ ନୀତି ସବକମିଟି ବୈଠକରେ ଏନେଇ ଆଲୋଚନା ହୋଇଥିବା ବେଳେ ଆଜି ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଏହା ଉପରେ ମୋହର ଲାଗିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ତେବେ ୧୫ ତାରିଖ ସକାଳ ୭ଟା ୩୦ରୁ ଦୀପ ପ୍ରଜ୍ବଳନ କରାଯାଇ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ନୃସିଂହ ମନ୍ତ୍ରରେ ସମସ୍ତ ପୂଜାବିଧି କରାଯିବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀନହର ଠାରେ ନୀତି ସବ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଛତିଶା ନିଯୋଗ ମହାନାୟକ, ଶ୍ରୋତ୍ରୀୟ ବ୍ରାହ୍ମଣ, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହାମଧ୍ୟ ପଢନ୍ତୁ: Srimandir Parikrama Project: ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ