ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ହରିହର ବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁ ଅବକାଶ ନୀତି ବଢ଼ିବା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ହରିହର ବେଶରେ ବିଭୂଷିତ କରାଯାଇଥାଏ । ଠାକୁରଙ୍କ ଶ୍ରୀଅଙ୍ଗରେ ଅର୍ଦ୍ଧେକ ଶ୍ୱେତ ବସ୍ତ୍ର ଲାଗି ହୋଇ ଅନ୍ୟ ଅର୍ଦ୍ଧେକ କୃଷ୍ଣ ବସ୍ତ୍ର ଲାଗି ହୋଇଥାଏ । ଧଳା ଓ କଳା ଉଭୟ ବସ୍ତ୍ରରେ ସଜ୍ଜିତ ଶ୍ରୀ ବଳଭଦ୍ରଙ୍କ ଅପରୂପ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ମହାପ୍ରଭୁଙ୍କର ଏହି ସ୍ବତନ୍ତ୍ର ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ସେପଟେ କାର୍ତ୍ତିକ ସୋମବାର ହୋଇଥିବାରୁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।
ଏହି ଚିତାକର୍ଷକ ବେଶରେ ବଡ଼ଠାକୁରଙ୍କ ଶ୍ରୀଭୁଜରେ ସୁବର୍ଣ୍ଣର ନଳିଭୁଜ, କର୍ଣ୍ଣରେ କୁଣ୍ଡଳ, କଟିରେ ଓଡ଼ିଆଣି, ଚନ୍ଦ୍ର, ସୂର୍ଯ୍ୟ ତଥା ବିଭିନ୍ନ ପ୍ରକାର ସୁବର୍ଣ୍ଣର ମାଳି ଧାରଣ କରି ଭକ୍ତ ମାନକୁ ଦର୍ଶନ ଦିଅନ୍ତି । ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଦୀପାବଳୀ ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଆଜି ବଡ଼ଠାକୁର ବଳଭଦ୍ରଙ୍କୁ ହରିହର ବେଶରେ ସୁସଜ୍ଜିତ କରାଯାଇଥାଏ । ଶ୍ରୀବଳଭଦ୍ରଙ୍କୁ ଶ୍ରୀକଣ୍ଠାଦି ନ୍ୟାସ କରାଯାଇଥାଏ । ତତ୍ତ୍ୱତଃ ଏହା ହରିହର ସମନ୍ୱୟ ପୂଜା । ଶରୀର ତାଙ୍କର ଶିବ ହେଲାବେଳେ ମନ୍ତ୍ର ତାଙ୍କର ବାସୁଦେବ ମନ୍ତ୍ର । ତେଣୁ ସେ ହରି ଓ ହରର ସମନ୍ୱୟ ଅଟନ୍ତି । ଏହି ଦୃଷ୍ଟିରୁ ବଳଭଦ୍ର ହେଉଛନ୍ତି ଏକ ଧାରାରେ ହରି ଓ ହର ।