ପୁରୀ: ଓଡିଶାର ପର୍ଯ୍ୟଟନସ୍ଥଳୀ କୋଣାର୍କର ଅନ୍ୟତମ ଆକର୍ଷଣ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ । ପ୍ରାକୃତିକ ପରିବେଶ, ଝାଉଁବଣ ଓ ସମୁଦ୍ରର ମିଳନ ସ୍ଥଳୀ ହୋଇଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । କିନ୍ତୁ ସୀମା ଲଙ୍ଘୁଛି ଏହି ଅଶାନ୍ତ ସମୁଦ୍ର । ସମୁଦ୍ର କୂଳେ କୂଳେ ଥିବା ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ଏବେ ବିପଦରେ । ଜୁଆର ମାଡ଼ରେ ଧୋଇଯାଇଛି ରାମଚଣ୍ଡି ମୁହାଣ ନିକଟ ବେଳା ମାର୍ଗର ସୁରକ୍ଷା ପ୍ରାଚୀର । ଫଳରେ ଧିରେ ଧିରେ ସମୁଦ୍ର ଆଁକୁ ଚାଲିଯାଉଛି ପୁରୀ କୋଣାର୍କ ରାସ୍ତା ।
ସୂଚନା ଅନୁସାରେ, ପୁର୍ଣ୍ଣମୀ ପ୍ରଭାବରେ ଆଶାନ୍ତ ସମୁଦ୍ର କୁଳ ଲଙ୍ଘିବା ସହିତ ରାସ୍ତା ମୁଁହା ହେଉଛି । ଏନେଇ ବିପଦରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା । କାରଣ ସମୁଦ୍ର ଜୁଆର ମାଡ଼ି ଆସି ଏକାଧିକ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି । ଫଳରେ ରାସ୍ତାରେ ବିପଦ ଶଙ୍କୁଳ ସ୍ଥିତି ଉପୁଜିଛି । ଏଥିସହ ବେଳା ମାର୍ଗରେ ସମୁଦ୍ର ଜୁଆର ମାଡ଼ ଯୋଗୁଁ ଭୁଶୁଡ଼ି ପଡିଛି ସୁରକ୍ଷା ପ୍ରାଚୀର । ଏହାର ପ୍ରଭାବରେ ପ୍ରଭାବରେ ୩୩ କେଭିର ବିଦ୍ୟୁତ ଖୁଣ୍ଟ ଦୁଇଟି ଉପୁଡି ଯାଇଛି । ଫଳରେ ପୁରୀ କୋଣାର୍କ ରାସ୍ତା ପାଇଁ ସୃଷ୍ଟି ହୋଇଛି ବିପଦ ।
ତେବେ ଯେଉଁ ସ୍ଥାନରେ ଇକୋ ରିଟ୍ରିଟ୍ ପାଇଁ ରାସ୍ତା ଥିଲା ତାହା ନଷ୍ଟ ହୋଇ ଯାଇଛି । ଜୁଆର ମାଡରୁ ରାସ୍ତାକୁ ସୁରକ୍ଷା ଦେବାପାଇଁ ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯାଉଛି । ଏହାକୁ ଦୃଷ୍ଟି ରେ ରଖି ରାସ୍ତାକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳକୁ ଲାଗିଥିବା ରାସ୍ତା କଡ଼ରେ ବାଲି ବସ୍ତା ଓ କାଠ ବଲା ପକାଯାଇଛି । ତେବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଏନେଇ ଆଲୋଚନା କରାଯାଇ ରାସ୍ତାର ସୁରକ୍ଷା ନିମନ୍ତେ ସ୍ଥାୟୀ ପଦକ୍ଷେପ ନିଆଯିବ ବୋଲି ପୁରୀ ଉପ ଜିଲ୍ଲାପାଳ କହିଛନ୍ତି ।