ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ । ତେବେ ଏହି ବୈଠକକୁ ଆସିଲେନି ଜେଇ । ବୈଠକରେ ଅନ୍ୟ କୌଣସି ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିନଥିବା ଦେଖିବାକୁ ମିଳିଛି । ତେବେ ବୈଠକରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା ସରକାରୀ ଯୋଜନାର ଅନିୟମିତତାର ସାର୍ବଜନୀନ ଶୁଣାଣୀ କରି ପଞ୍ଚାୟତ ଅଧିକାରୀଙ୍କୁ ଜୋରିମାନା ଶୁଣାଇଥିଲେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର ।
ସୂଚନା ଅନୁସାରେ ୨୦୨୦-୨୧ ବର୍ଷରେ ଡିଆରଡିଏ ଦ୍ଵାରା ବ୍ରହ୍ମଗିରି ବ୍ଲକର ସମସ୍ତ ପଞ୍ଚାୟତରେ ଅଡିଟ କରାଯାଇଥିଲା । ଏଥିରେ ଥିବା ଦୋଷ ତ୍ରୁଟିକୁ ସାର୍ବଜନୀନ ଭାବେ ସମୀକ୍ଷା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଏହି ବୈଠକ ଡାକିଥିଲେ । କିନ୍ତୁ ଏଠି ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତରେ ବୈଠକ ଆରମ୍ଭ ହୋଇଯାଇଥିଲେ ମଧ୍ୟ ବ୍ଲକର ସହକାରୀ ଯନ୍ତ୍ରୀ ଶେଷ ମୁହୂର୍ତ୍ତରେ ପହଞ୍ଚିଥିଲେ ଓ କୌଣସି ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀ, ଖାଉଟି ସୁରକ୍ଷା ଅଧିକାରୀ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ବୈଠକକୁ ଆସିନଥିଲେ । ତେବେ ବୈଠକରେ ମଣପଡା ପଞ୍ଚାୟତରେ NRGS ଓ ଆବାସ ଯୋଜନାରେ ଅନିୟମିତତା ହେବା ସହିତ କୌଣସି ରେକର୍ଡ ସଠିକ ମିଳିନଥିବା ନେଇ ପଞ୍ଚାୟତ ଅଧିକାରୀଙ୍କୁ ୩୦ ହଜାର ଫାଇନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସେହିଭଳି ରାୟବିଧାର ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ହେତୁ ୧୦୦୦ ଟଙ୍କା, ପଲଙ୍କ ପଞ୍ଚାୟତରେ ଜବକାର୍ଡ଼ରେ ଅନିୟମିତତା ହେତୁ ୨୦୦୦ ଟଙ୍କା ଜୋରିମାନା କରାଯାଇଥିଲା ।