ପୁରୀ: ପବିତ୍ର ପାର୍ବଣର ଆଗମନରେ ଚଳଚଞ୍ଚଳ ଧରାପୃଷ୍ଠ । ଦୁର୍ଗେ ଦୁର୍ଗତୀନାଶିନୀ ମା' ଦୁର୍ଗାଙ୍କ ଆଗମନ ପାଇଁ ସମସ୍ତେ ବେଶ ଉତ୍ସାହିତ । ଧରିତ୍ରୀ ମଧ୍ୟ ମା'ଙ୍କ ଆଗମନ ପୂର୍ବରୁ ନିଜକୁ ସଜେଇ ଦେଇଛି । ଏହି କ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମା'ଙ୍କ ଶକ୍ତିପୀଠରେ ଚାଲିଛି ପୂଜାର୍ଚ୍ଚନା । ହେଲେ ଶାରଦୀୟ ଦୁର୍ଗା ପୂଜାରେ ପୁରୀ ସହରରେ ରହିଛି ଏକ ନିଆରା ପ୍ରାଚୀନ ପରମ୍ପରା । ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜାକୁ ଗୋଷାଣୀ ପୂଜା ଭାବେ ପାଳନ କରାଯାଇଥାଏ । ଏହି ପୂଜା ନେଇ ପୁରୀର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି ।
ପବିତ୍ର ମୂଳାଷ୍ଟମୀରୁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଯାହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିରରେ ଥିବା ମା' ବିମଳାଙ୍କ ପୀଠରେ ଶକ୍ତି ପୂଜା ଭଳି ଗୋଷାଣୀ ପୂଜା ଅନୁଷ୍ଠିତ ହୋଇଥାଏ । ଆସନ୍ତା ଶନିବାର ଠାରୁ ସପ୍ତମୀ ପୂଜା ସହ ଗୋଷାଣୀ ପୂଜା ଆରମ୍ଭ ହେବ ।