ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ଘୋଡଲାଗି ନୀତି, ଶୀତବସ୍ତ୍ର ପରିଧାନ କଲେ ମହାପ୍ରଭୁ

Ghoda Lagi Ritual: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଘୋଡଲାଗି ନୀତି ବା ଓଢ଼ଣ ଷଷ୍ଠୀ ପର୍ବ । ଶୀତ ଦାଉରୁ ରକ୍ଷା ପାଇବା ଶୀତବସ୍ତ୍ର ପନ୍ଧିଲେ ମହାପ୍ରଭୁ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Dec 18, 2023, 10:26 AM IST

ପୁରୀ: ଆଜି ମାର୍ଗଶୀର ଶୁକ୍ଳପକ୍ଷ ଷଷ୍ଠୀ ତିଥି । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଘୋଡଲାଗି ନୀତି ବା ଓଢ଼ଣ ଷଷ୍ଠୀ ପର୍ବ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କୁ ଶୀତବସ୍ତ୍ର ପରିଧାନ କରାଯାଇଛି । ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବାୟତମାନେ ମହାପ୍ରଭୁଙ୍କ ଏହି ଘୋଡ଼ ବା ଶୀତବସ୍ତ୍ର ବେଶ୍ ନିଷ୍ଠାର ସହ ତିଆରି କରିଛନ୍ତି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ତେବେ ଘୋଡ ଲାଗି ଅବସରରେ ଶ୍ରୀଜିଉମାନେ ବିଭିନ୍ନ ବାରରେ ବିଭିନ୍ନ ପ୍ରକାରର ଘୋଡ ପରିଧାନ କରିବେ । ଆଜି ଓଢ଼ଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସହ ମଇଲମ ବଢ଼ିବା ପରେ ଠାକୁରମାନଙ୍କୁ ପାଗ ଓ ଘୋଡ଼ ଲାଗି କରାଯାଇଥିଲା । ଏହାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା । ପରେ ପ୍ରସାଦ ଲାଗି ସହ ତିନି ବାଡ଼ରେ ବନ୍ଦାପନା ମଧ୍ୟ କରାଯିବ ।

ବିଭିନ୍ନ ବାର ଅନୁସାରେ ଶ୍ରୀଜୀଉମାନେ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାଆନ୍ତି । ତେଣୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବାୟତମାନେ ବେଶ୍ ନିଷ୍ଠା ଓ ଭକ୍ତିର ସହ ମହାପ୍ରଭୁଙ୍କ ଏହି ଘୋଡ଼ ବା ଶୀତବସ୍ତ୍ର ପ୍ରସ୍ତୁତ କରିଛନ୍ତି । ଏଥିରେ ୨୨ ହାତିଆ ସୂତାପୁଟା, ପତନୀ ଓ ଗୀତଗୋବିନ୍ଦ ପାଟରେ ଠାକୁରଙ୍କ ନୂତନ ଶୀତବସ୍ତ୍ର ସହ ଘୋଡ ଲାଗି ବେଶ ପାଇଁ ଖଟ ପାଛୁଡି, ତୂଳିପଟା, ଥୋଡ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦରଜୀ ସେବାୟତ ମାନେ ଜିମା ଦେବା ପରେ ଶ୍ରୀଜିଉମାନେ ଏହି ଶୀତବସ୍ତ୍ର ପରିଧାନ କରିଥାଆନ୍ତି ।
ଏହା ମଧ୍ୟ ପଢନ୍ତୁ-୧୮ରେ ଶ୍ରୀଜିଉଙ୍କ ଓଢଣ ଷଷ୍ଠୀ ପର୍ବ, ଶୀତ ବସ୍ତ୍ର ପରିଧାନ କରିବେ ମହାପ୍ରଭୁ

ଏହାସହ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ପାର୍ଶ୍ଵ ଦେବାଦେବୀ ମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀ ଓ କାକୁଡ଼ିଖାଇ ଠାକୁରାଣୀ ମଧ୍ୟ ଶୀତବସ୍ତ୍ର ପରିଧାନ କରିଥାଆନ୍ତି । ଓଢ଼ଣ ଷଷ୍ଠୀ ଅବସରରେ ଆଜି ଶ୍ରୀଜିଉମାନେ କଳାଛିଟା ମିଶା ଶୁକ୍ଳ ରଙ୍ଗ ପରିଧାନ କରିଥିବା ବେଳେ ଆସନ୍ତାକାଲି(ମଙ୍ଗଳବାର) ବାରପଟିଆ ବା ପଞ୍ଚରଙ୍ଗ, ବୁଧବାରରେ ନୀଳରଙ୍ଗ, ଗୁରୁବାରରେ ହଳଦିଆ ରଙ୍ଗ, ଶୁକ୍ରବାର ଦିନ ଧଳା ରଙ୍ଗ, ଶନିବାର କଳା ଓ ରବିବାରରେ ଲାଲ୍ ରଙ୍ଗର ଘୋଡ ପରିଧାନ କରିବେ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳା କ୍ରମରେ ଶ୍ରୀଜିଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି। ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ। ଏହି ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଲାଭ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆସନ୍ତା ସରସ୍ବତୀ ପୂଜା ପୂର୍ବଦିନ ପର୍ଯ୍ୟନ୍ତ ଠାକୁର ମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି । ତେବେ ଓଢ଼ଣ ଷଷ୍ଠୀ ଠାରୁ ଶୀତର ପ୍ରକୋପ ବଢ଼ିଥାଏ ବୋଲି ବିଶ୍ୱାସ ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details