ପୁରୀ: ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେବାରେ ଲାଗିଛି ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ପବିତ୍ର ଗରୁଡ଼ ସ୍ତମ୍ଭ । ଯଦି ଏହାର ସୁରକ୍ଷା କଥା ଚିନ୍ତା କରାନଯାଏ, କେଉଁ ସମୟରେ କିଛି ବି ଅଘଟଣ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭ ଚତୁଃପାର୍ଶ୍ୱକୁ ରୂପାରେ ଆଚ୍ଛାଦିତ କରିବାକୁ ଯୋଜନା କରୁଛି । ଏହି କାମ ପାଇଁ ୧୩୦ ଲକ୍ଷ ଟଙ୍କାର ପ୍ରାଥମିକ ଆକଳନ କରାଯାଇଛି । ପଶ୍ଚିମବଙ୍ଗର ଜନୈକ ଭକ୍ତ ଏ ବାବଦ ଖର୍ଚ୍ଚ ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡ଼ିତ । ଏହାକୁ ସ୍ପର୍ଶ କଲେ ପାପକ୍ଷୟ ସହ ଶରୀର ସୁସ୍ଥ ରହିଥାଏ ବୋଲି କାହିଁ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପ୍ରଥମେ ଗରୁଡ଼ ସ୍ତମ୍ଭ ସ୍ପର୍ଶ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟ ମୁତାବକ, ଭକ୍ତଙ୍କ ସ୍ପର୍ଶ ଫଳରେ ଦିନକୁ ଦିନ ଗରୁଡ଼ ସ୍ତମ୍ଭ କ୍ଷୟ ହେବାରେ ଲାଗିଛି । ଭକ୍ତ କୋଳାଗ୍ରତ କରିବା ଫଳରେ ଗରୁଡ଼ ସ୍ତମ୍ଭ ପତଳା ହେବାରେ ଲାଗିଛି । ଯାହା ଗରୁଡ଼ ସ୍ତମ୍ଭର ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି ।
ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପୂର୍ବତନ ନିର୍ଦ୍ଦେଶକ ଏସ କେ ପଟେଲଙ୍କ କହିବା ଅନୁଯାୟୀ, ଗରୁଡ଼ ସ୍ତମ୍ଭଟି ଚନ୍ଦନ କାଠର ଜୀବାଶ୍ମରେ ନିର୍ମିତ । ଏଣୁ ଭକ୍ତଙ୍କ ପ୍ରତ୍ୟକ୍ଷ ସ୍ପର୍ଶରୁ ଗରୁଡ଼ ସ୍ତମ୍ଭକୁ ନିବୃତ୍ତ ରଖିବା ଆବଶ୍ୟକ । ଯେହେତୁ ଦିନକୁ ଦିନ ଗରୁଡ଼ ସ୍ତମ୍ଭ ପତଳା ଓ ଦୁର୍ବଳ ହେବାରେ ଲାଗିଛି, ସେ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭ ଚାରିପଟେ ରୂପା ଆଚ୍ଛାଦିତ କରିବାକୁ ଯୋଜନା କରିଛି । ଗରୁଡ଼ ସ୍ତମ୍ଭର ଚତୁଃପାର୍ଶ୍ବକୁ ଏସ ଏସ ଷ୍ଟିଲ୍ ଫ୍ରେମ୍ ଦ୍ବାରା ଆଚ୍ଛାଦିତ କରାଯିବ । ଏଥିପାଇଁ ଗରୁଡ଼ ସ୍ତମ୍ଭ ମାପ ଅନୁଯାୟୀ ବୃତ୍ତାକାରର ଏକ ଫ୍ରେମ ତିଆରି ହେବ । ଏହି ଫ୍ରେମ ପ୍ରସ୍ତୁତ ପରେ ଏହା ଉପରେ ରୂପା ଆଚ୍ଛାଦିତ କରାଯିବ ଓ ସଂପୂର୍ଣ୍ଣ ଗରୁଡ଼ ସ୍ତମ୍ଭକୁ ରୂପା ଦ୍ୱାରା ଆବଦ୍ଧ କରାଯିବ ।