ପୁରୀ:ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜାକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପବିତ୍ର ଗଣେଶ ଚତୁର୍ଥୀରେ ଆନ୍ଦନ ଉଲ୍ଲାସର ସହ ବିଘ୍ନହର୍ତ୍ତାଙ୍କ ପୂଜାର୍ଚ୍ଚନା କରିଛନ୍ତି ପୁରୀ ସହରବାସୀ । ବିଭିନ୍ନ କ୍ଲବ, ପୂଜା ମଣ୍ଡପ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ବେଶ୍ ଆଡ଼ମ୍ବରର ସହ ଗଣେଶ ପୂଜା ପାଳନ ହୋଇଛି । ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଛି । ମନ୍ତ୍ରୀ ଧ୍ବନିରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ । ସକାଳୁ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ପୂଜକମାନେ ଆସି ପ୍ରଭୁ ଅଗ୍ରପୂଜ୍ୟଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ବରୁଣ ପୂଜା ପରେ ବର୍ଦ୍ଧନୀ, ମାତୃ ପୂଜା, ହୋମ, ପୁଷ୍ପାଞ୍ଜଳି ସହ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ପୂଜା ନୀତି ଅନୁଷ୍ଠିତ ହୋଇଛି ।
ପୁରାଣ ଅନୁଯାୟୀ, ଦେବୀ ପାର୍ବତୀ ସ୍ନାନ କରୁଥିବା ସମୟରେ ଦେହର ମଳିରୁ ଏକ ମୂର୍ତ୍ତି ତିଆରି କରିଥିଲେ । ଭଗବାନ ବିଷ୍ଣୁଙ୍କ ସ୍ମରଣରେ ସେହି ମୂର୍ତ୍ତୀଟି ଜୀବଦାନ ପାଇଥିଲେ । ସେ ହୋଇଥିଲେ ପାର୍ବତୀ ନନ୍ଦନ ଅଗ୍ରପୂଜ ଶ୍ରୀଗଣେଶ । ଗଣେଶ ଚତୁର୍ଥୀରେ ଯେଉଁ ଭକ୍ତମାନେ ପ୍ରଭୁ ଗଜାନନଙ୍କୁ ନିଷ୍ଠାର ସହ ପୂଜା କରଥାନ୍ତି ତାଙ୍କୁ ସିଦ୍ଧି ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ଶ୍ରୀମନ୍ଦିର ସେବାୟତମାନେ ମଧ୍ୟ ପ୍ରଭୁ ଗଜାନନଙ୍କୁ ନିଜ ଘରେ ସ୍ଥାପନ କରି ବେଶ୍ ଆଡମ୍ବର ସହକାରେ ପୂଜାର୍ଚ୍ଚନା କରିଛନ୍ତି ।