ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ଆରମ୍ଭ ହେବ ପୂଜାବିଧି । ଗଜପତି ମହାରାଜା ଆଚାର୍ଯ୍ୟବରଣ କରିବା ପରେ ଆଙ୍କୁରାରୋପଣ ବିଧି ଅନୁଷ୍ଠିତ ହେବ । ଆଜି ଅପରାହ୍ନ ୫ଟାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ । ସେହି ଦିବ୍ୟ ମୁହୂର୍ତ୍ତକୁ ଜଗନ୍ନାଥ ପ୍ରେମୀ ଅପେକ୍ଷାରେ ଅଛନ୍ତି । ଶେଷ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ । ଉତ୍କଳୀୟ କଳା ଭାସ୍କର୍ଯ୍ୟ ଏବଂ ସୁନ୍ଦର ସୁନ୍ଦର ଫୁଲ ଓ ଗଛର ସମ୍ଭାରରେ ଝଲସୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ । ତେବେ ଆସନ୍ତା ୧୭ ତାରିଖରେ ଏହି ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ ।
ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସନ୍ଧ୍ୟା ୫ଟାରେ ଗଜପତିଙ୍କ ଦ୍ବାରା ଆଚାର୍ଯ୍ୟବରଣ, ସନ୍ଧ୍ୟା ୬ଟା ୩୦ରେ ଅଙ୍କୁରାରୋପଣ,୧୩ ତାରିଖ ଦିନ ୧୧ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁର ପୂଜନ ଅନୁଷ୍ଠିତ ହେବ । ସେହିପରି ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁର ପୂଜନ, ଯଜ୍ଞାଧିବାସ, ମଣ୍ଡଳ ସ୍ଥାପନ, ଧ୍ବଜା ସ୍ଥାପନ ଓ ତୋରଣ ସ୍ଥାପନ ଅନୁଷ୍ଠିତ ହେବ । ସେହିପରି ୧୫ ତାରିଖ ଦିନ ଅଖଣ୍ଡ ଦୀପ ସ୍ଥାପନ ସହ ପ୍ରତିଷ୍ଠା ଉତ୍ସବ ପାଇଁ ମହାଯଜ୍ଞ ଆରମ୍ଭ ହେବ । ୧୬ ତାରିଖରେ ମଧ୍ୟ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହେବ । ୧୭ ତାରିଖ ବୁଧବାର ଦିନ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ ।
ଦିନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ପରେ ଦିନ ୨ଟାରୁ ୩ଟା ମଧ୍ୟରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଏବଂ ପରେ ସଭାଗୃହରେ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ । ଦିନ ୩ଟା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରିବା ପାଇଁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।