ପୁରୀ:ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ରଥଯାତ୍ରା ପ୍ରସ୍ତୁତି । ରଥ ନିର୍ମାଣ ପାଇଁ ଆରମ୍ଭ ହୋଇଛି କାଠ ଅଣା କାର୍ଯ୍ୟକ୍ରମ । ତୃତୀୟ ପର୍ଯ୍ୟାୟ ପରେ ଏବେ ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ରଥ ନିର୍ମାଣ ପାଇଁ ବୌଦ୍ଧ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି ରଥକାଠ । ଅକ୍ଷୟ ତୃତୀୟରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ତେଣୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାଠ ପୁରୀରେ ପହଞ୍ଚୁଛି ।
ତେବେ ବୌଦ୍ଧ ବନଖଣ୍ଡରୁ ଟ୍ରକ ଯୋଗେ ୪୦ ଫୁଟିଆ ୨୮ଖଣ୍ଡ ଧଉରା କାଠ ପୁରୀରେ ପହଞ୍ଚିଛି । ଆସିଥିବା ଏହି ଧଉରା କାଠରେ ରଥ ଚକରେ ଲାଗିବାକୁ ଥିବା ଅଖ ନିର୍ମାଣ କରାଯିବ । ବୌଦ୍ଧ ବନଖଣ୍ଡରୁ ମୋଟ ୩୦୩ ଖଣ୍ଡ ରଥକାଠ ଯୋଗାଇବାକୁ ଥିବାବେଳେ ୨୮ଖଣ୍ଡ କାଠ ଆସି ପହଞ୍ଚିଛି । ପର୍ଯ୍ୟାୟକ୍ରମେ ଅବଶିଷ୍ଟ କାଠ ଆସି ପହଞ୍ଚବ ବୋଲି ସୂଚନା ରହିଛି । ତେବେ ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତବର୍ଷ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଅଛି । ଏଥିସହ ରଥଖଳାକୁ ଆଜି ସୁଦ୍ଧା ୧୩୨ ଖଣ୍ଡ କାଠ ଆସି ପହଞ୍ଚିଥିବା ବେଳେ ଖପୁରିଆ କରତକଳକୁ ଚିରଟ ପାଇଁ ୮୧ ଖଣ୍ଡ କାଠ ଯାଇଛି ।