ବ୍ରହ୍ମଗିରି:ପୁଣି ଚିଲିକା ମଝିରେ ଫସିଲା ଭସା ପୋଲ । ଆଜି ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭସା ପୋଲ ମଝି ଚିଲିକାରେ ଅଟକି ରହିଛି । ପୁରୀ ଜିଲ୍ଲା ସାତପଡ଼ା ମଝି ଚିଲିକାରେ ପ୍ରାୟ ଏକ ଘଣ୍ଟା ଧରି ଯାତ୍ରୀବାହୀ ଭସା ପୋଲ ଫସି ରହିଛି । ଏହା ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଅଟକି ଯାଇଛି । ଭସା ପୋଲରେ ୨ଟି ବସ୍ ସମେତ ୧୦ଟି ବାଇକ ଓ ୧୦୦ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି । ଏହାକୁ ନେଇ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡିଛନ୍ତି ।
ସୂଚନା ମୁତାବକ, ଭସା ପୋଲଟି ଆଜି ସକାଳ ୭ଟା ୧୫ ମିନିଟ୍ ସମୟରେ ସାତପଡାରୁ ଯାତ୍ରା ଆରମ୍ଭ କରିଥିଲା । ଏକ କିଲୋମିଟର ଯାତ୍ରା କରିବା ପରେ ଏହା ମଝି ଚିଲିକାରେ ଅଟକି ଯାଇଥିଲା । ଫସିଥିବା ଯାତ୍ରୀମାନେ ସହାୟତା ପାଇଁ ନିବେଦନ କରିଛନ୍ତି । ତେବେ ଏପରି ଘଟଣା ଚିଲିକାରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ହେଲେ ଏହାର ସ୍ଥାୟୀ ସମାଧାନ ପ୍ରତି C.D.A ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାଫଳରେ ଯାତ୍ରୀମାନେ ଆତଙ୍କିତ ହେବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି । ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଉଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି ।