ପୁରୀ: ଆଜି ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ପ୍ରଥମ ଦିନରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ । ଏଥି ସହିତ ଶ୍ରୀମନ୍ଦିରରେ ପାଳନ ହେବ ହରି ଉଥାପନ ଏକାଦଶୀ । ତୃତୀୟ ଦିନ ଅର୍ଥାତ ଆସନ୍ତା 27 ତାରିଖରେ ଶୁକ୍ରବାର ଶ୍ରୀବିଗ୍ରହଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । କିନ୍ତୁ କୋଭିଡ କଟକଣା ହେତୁ ବିନା ଭକ୍ତରେ ଚଳିତ ବର୍ଷ ପଞ୍ଚୁକ ପାଳନ ହେବ ।
ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର ଏବଂ ଶ୍ରୀବଳଭଦ୍ର ହଳ ମୁଷଳ ଧାରଣ କରନ୍ତି । ଶ୍ରୀମସ୍ତକରେ ସ୍ଵର୍ଣ୍ଣର କିରିଟ ଶୋଭା ପାଏ । ଚଳିତ ବର୍ଷ ପଞ୍ଚୁକ 6 ଦିନ ରହିଛି । ଅଧିକ ଗୋଟିଏ ଦିନ ଥିବାରୁ ତୃତୀୟ ଦିନ ଅର୍ଥାତ କାର୍ତ୍ତିକ ମଳ ଦ୍ଵାଦଶୀ ତିଥୀରେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ନଗାର୍ଜୁନ ବେଶ ହେବ । 6 ଦିନରେ ମହାପ୍ରଭୁଙ୍କ 6 ଟି ବେଶ ହେବ ।
ଗୁରୁବାର ମହାପ୍ରଭୁଙ୍କ ବାଙ୍କ ଚୁଡ଼ ବେଶ, ଶୁକ୍ରବାର ନାଗାର୍ଜୁନ ବେଶ, ଶନିବାର ମହାପ୍ରଭୁଙ୍କ ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ, ରବିବାର ମହାପ୍ରଭୁଙ୍କ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ । ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ରାଜାଧିରାଜ ବେଶ ତଥା ସୁନା ବେଶ ଅନୁଷ୍ଠିତ ହେବ । ତେବେ କୋଭିଡ କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି । ଫଳରେ ଖାଁ ଖାଁ ରହିଛି ଶ୍ରୀକ୍ଷେତ୍ର ପରିବେଶ ।