ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁରୀ ଜିଲ୍ଲାରେ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି । ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ୧୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୩୦ଟି ୱାର୍ଡ, ୨ଟି ଜିଲ୍ଲା ପରିଷଦ ଜୋନ ଏବଂ କାକଟପୁର ବ୍ଲକର ୧୬ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୬୮ଟି ୱାର୍ଡ ଏବଂ ୩ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ଚାଲିଛି । ଏହି ଦୁଇ ବ୍ଲକର ମୋଟ ୩୧ଟି ଗ୍ରାମ ପଞ୍ଚାୟତର ୫୧୮ଟି ୱାର୍ଡ ଓ ୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗ୍ରହଣ ଜାରି ରହିଛି ।
ଅସ୍ତରଙ୍ଗରେ ୪୭ ଜଣ ସରପଞ୍ଚ, ୪୭ ଜଣ ସମିତି ସଭ୍ୟ, ୪୨୯ ଜଣ ୱାର୍ଡମେମ୍ବର ଓ ୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । କାକଟପୁର ବ୍ଲକରେ ୭୦ ଜଣ ସରପଞ୍ଚ, ୫୪ଜଣ ସମିତି ସଭ୍ୟ, ୬୦୫ ଜଣ ୱାର୍ଡମେମ୍ବର, ୧୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଏହି ଅନ୍ତିମ ପର୍ଯ୍ୟାୟ ମତଦାନରେ ଅସ୍ତରଙ୍ଗ ବ୍ଲକରେ ୭୩,୬୨୦ ଜଣ ଭୋଟର, କାକଟପୁରରେ ୯୩,୦୨୮ ଜଣ ଭୋଟରଙ୍କୁ ମିଶାଇ ମୋଟ ୧,୬୬,୬୪୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଅସ୍ତରଙ୍ଗରେ ୧୫ ଜଣ ଓ କାକଟପୁରରେ ୧୯ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି । ଉଭୟ ବ୍ଲକରେ ୧୧୬ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି ।