ପୁରୀ: ଲକ ଡାଉନ ପାଇଁ ସାରା ଦେଶରେ ଦୋକାନ ବଜାର, ହୋଟେଲ ବନ୍ଦ। କେହି ଲୋକ ମଧ୍ୟ ଘରୁ ବାହାରକୁ ଆସୁ ନାହାନ୍ତି। ଆଉ ଏହାର ପରିଣାମ ଭୋଗୁଛନ୍ତି ନିରୀହ ଜୀବଜନ୍ତୁ। ସାଧାରଣ ଦିନରେ ପରିବା ଦୋକାନୀ , ହୋଟେଲ ବ୍ୟବସାୟୀ ଓ ସାଧାରଣ ଲୋକ ମାନେ ରାସ୍ତାରେ ବୁଲୁଥିବା ଷଣ୍ଢ, ଗାଈ, କୁକୁର,ମାଙ୍କଡ଼ଙ୍କୁ ବିଭିନ୍ନ ଖାଦ୍ୟ ଦେଉଥିଲା। ତେବେ ଲକ ଡାଉନ ଯୋଗୁଁ ସବୁ ବନ୍ଦ ପଡିବା ପରେ ଏହି ନିରୀହ ଜୀବଜନ୍ତୁ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି।
ଭୋକ ଉପାସରେ ଆଉଟ ପାଉଟ ହେଉଛନ୍ତି। କଥା କହି ପାରୁ ନ ଥିବା ଏହି ଜୀବଜନ୍ତୁଙ୍କ ଭାଷା ଓ କଷ୍ଟ କିନ୍ତୁ ବୁଝି ପାରିଛନ୍ତି ପୁରୀ ଲୋକନାଥ ରୋଡ଼ ଛପନ ଛକରେ ଥିବା ସମର୍ପଣ ଭାଗବତ ଟୁଙ୍ଗି ଅନୁଷ୍ଠାନର କର୍ମକର୍ତ୍ତା । ପ୍ରାୟ 40 ଜଣ କର୍ମକର୍ତ୍ତା ନିଜନିଜ ଭିତରେ କିଛି କିଛି ଟଙ୍କା ଆଦାୟ କରି ସବୁଦିନେ ଏକ କ୍ବିଣ୍ଟାଲ ଖେଚୁଡ଼ି ରାନ୍ଧି ପୁରୀ ସହରରେ ଥିବା ଯିବ ଜନ୍ତୁଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଟ୍ରଲିରେ ଖାଦ୍ୟ ନେଇ ସହର ସାରା ବୁଲି ଏହି ନିଆରା ସେବା କରୁଛନ୍ତି। ଲକ ଡାଉନ ଦିନ ଠାରୁ ଏହି କାର୍ଯ୍ୟକ୍ରମ ଚାଲିଛି। ତେବେ କେବଳ ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ନୁହେଁ ବରଂ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା, ସରକାରଙ୍କ ଲକ ଡାଉନକୁ ମାନିବା ନେଇ ମଧ୍ୟ ସଚେତନ କରୁଛନ୍ତି।