ପୁରୀ: ଫନିର କରାଳ ରୂପରେ ବିପର୍ଯ୍ୟସ୍ତ ହୋଇଯାଇଛି ପର୍ଯ୍ୟଟନସ୍ଥଳ ପୁରୀ । ଶ୍ରୀକ୍ଷେତ୍ର ଶ୍ରୀହିନ ଲାଗୁଥିବା ବେଳେ ଚିତ୍ରଶୂନ୍ୟ ହୋଇଯାଇଛି ଶିଳ୍ପୀ ଗ୍ରାମ । ବାତ୍ୟାରେ ବତୁରି ଯାଇଛି ରଘୁରାଜପୁର ଗ୍ରାମର ପଟ୍ଟ ଚିତ୍ର କାରିଗରଙ୍କ ପରିଶ୍ରମ । ବର୍ଷା ଓ ପବନ ମାଡରେ ବହୁମୂଲ୍ୟ ସୂକ୍ଷ୍ମ ପଟ୍ଟଚିତ୍ର ସହ ତାଳପତ୍ର ନଷ୍ଟଭ୍ରଷ୍ଟ ହୋଇଯାଇଛି ।
ଶିଳ୍ପୀ ଗ୍ରାମର ପ୍ରବେଶ ପଥ ଦେଖି ଲାଗୁଥିଲା ଆଗକୁ ବୋଧେ ଆଉ କିଛି ନଥିବ, ହେଲେ ବାସ୍ତବତା ଆଶଙ୍କାଠୁ ବଡ ଦାରୂଣ । ବାତ୍ୟା ଫନି ମାଡରେ ଉତ୍କଳୀୟ ଐତିହ୍ୟ କଳା ଚାତୁରୀର ଚଳନ୍ତି ଦର୍ପଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ରାକ୍ଷସ ରୂପି ପ୍ରଳୟଙ୍କାରୀ ବାତ୍ୟା ଫନି ଫଣାରେ ଚିତ୍ରଶୂନ୍ୟ ପାଲଟିଛି ପଟ୍ଟ ଚିତ୍ର ଗାଁ । କାରିଗରଙ୍କ ବର୍ଷ ବର୍ଷର ପରିଶ୍ରମ ବତୁରି ଯାଇଛି । ଦୋହଲି ଯାଇଛି ସେମାନଙ୍କ ଭାଗ୍ୟ ଭବିଷ୍ୟତ । ଶ୍ରୀ ଜଗନ୍ନାଥ ଲୀଳାମ୍ବୃତ ଏବଂ ପାରମ୍ପରିକ କଥାବସ୍ତୁକୁ ରଙ୍ଗ ତୂଳୀରେ ଜୀବନ୍ତ ରୂପ ଦେଉଥିବା କରିଗର, ଏବେ ବେଉସା ଚିନ୍ତାରେ । ସେପଟେ ବାତ୍ୟା ଯୋଗଁ କଞ୍ଚାମାଲ ଅଭାବ ମଧ୍ୟ କାରିଗରଙ୍କ ଦୁଃଖକୁ ଦ୍ବିଗୁଣତ କରୁଛି ।