ପୁରୀ: ରାଜ୍ୟର ପ୍ରଥମ ପ୍ରେକ୍ଷାଳୟ ହେଉଛି ଲକ୍ଷ୍ମୀ ସିନେମା ହଲ । ପୁରୀ ସହରରେ ରହିଛି ଏହି ଐତିହାସିକ ପ୍ରେକ୍ଷାଳୟ । ସୀତା ବିବାହ ଭଳି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଏଠାରେ ପ୍ରଦର୍ଶିତ ହୋଇଥିଲା । ତେବେ ବିଡମ୍ବନାର ବିଷୟ ଯେ, ଏହି ଐତିହାସିକ ସିନେମା ହଲ ଏବେ ସବୁ ଦିନ ପାଇଁ ନିଜର ପରିଚୟ ହରାଇ ବସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପ୍ରଳୟଙ୍କାରୀ 'ଫନି' ମାଡରେ ଐତିହାସିକ ଲକ୍ଷ୍ମୀ ସିନେମା ହଲ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ବିପୁଳ କ୍ଷୟକ୍ଷତି ସହ ପାଖରେ ସମ୍ବଳ ନଥିବାରୁ ଏହାର ପୁନଃଋଦ୍ଧାର ସମ୍ଭବ ନୁହେଁ ବୋଲି ହଲ୍ ମାଲିକ କହିଛନ୍ତି । ତେବେ ସରକାର ଏହି ଐତିହାସିକ ପ୍ରେକ୍ଷାଳୟର ପୁନଃଋଦ୍ଧାର ନକଲେ ଏହି ପୁରାତନ ପ୍ରେକ୍ଷାଳୟ ନିଜର ପରିଚୟ ହରାଇ ବସିବା ନିଶ୍ଚିତ ।
ବାତ୍ୟା 'ଫନି' ମାଡ଼ରେ ଛାରଖାର ହୋଇଯାଇଛି ପୁରୀ ସହର । ଆଉ ଏଥିରୁ ବାଦ ପଡିନି ରାଜ୍ୟର ପ୍ରଥମ ସିନେମା ହଲ ତଥା ଐତିହାସିକ ଲକ୍ଷ୍ମୀ ପ୍ରେକ୍ଷାଳୟ । ଭୟଙ୍କର ବାତ୍ୟାର କରାଳ ପ୍ରକୋପରେ ଭାଙ୍ଗିଯାଇଛି ପ୍ରେକ୍ଷାଳୟର ଅଣ୍ଟା । ଏକଥା ଆମେ ନୁହେଁ ଏ ଚିତ୍ର ହିଁ ବୟାନ କରୁଛି । କେଉଁଠି ହଲର ଉପର ଆଜବେଷ୍ଟସ୍ , ସିଲିଂ ଉଡିଯାଇଛି ତ ଆଉ କେଉଁଠି ସିନେମା ହଲର ପରଦା ବି ନଷ୍ଟ ହୋଇଛି । 30 ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆଉ ଏଭଳି ଅବସ୍ଥା ଦେଖି ପାଖରେ ସମ୍ବଳ ନଥିବାରୁ ସିନେମା ହଲ ମାଲିକ ଓ କର୍ମଚାରୀ ହତାଶ ହୋଇପଡିଛନ୍ତି ।