ପୁରୀ: ଜିଲ୍ଲାର ଗୋପ ତହସିଲ ସମ୍ମୁଖରେ ଧାରଣା ଦେବା ସହ ତହସିଲ ଅଫିସ ତାଲା ପକାଇଛନ୍ତି ଫନି ବାତ୍ୟା କ୍ଷତିଗ୍ରସ୍ତ । ବାତ୍ୟା କ୍ଷୟକ୍ଷତିର ସଠିକ ଆକଳନ ହୋଇନଥିବା ଅଭିଯୋଗ କରିଛନ୍ତି ।
ତହସିଲ ଅଫିସରେ ତାଲା ପକାଇଲେ ଫନି ବିପନ୍ନ ସୂଚନାନୁଯାୟୀ, ପୁରୀ ଜିଲ୍ଲା ଗୋପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବାତ୍ୟା ବିପନ୍ନମାନେ କାର୍ଯ୍ୟାଳୟ ଛୁଟି ହେବା ପୂର୍ବରୁ ଧାରଣା ଦେଇଥିଲେ । ଫଳରେ କାର୍ଯ୍ୟାଳୟ ଭିତରେ ଥିବା କର୍ମଚାରୀମାନେ ଭିତରେ ଅଟକ ରହିଥିଲେ । ଖବର ପାଇ ଗୋପ ପୋଲିସ ତହସିଲ କାର୍ଯାଳୟରେ ପହଁଚି ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଶୁଣି ନଥିଲେ । ଦୀର୍ଘ ସମୟ ଧରି ବିପନ୍ନମାନେ ଧାରଣା ଦେବା ପରେ ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି ଲୋକମାନଙ୍କର ସମସ୍ୟା ସମାଧାନର ପ୍ରତିଶୃତି ପରେ ଧାରଣାରୁ ହଟିଥିଲେ ଲୋକମାନେ ।
ଅଭିଯୋଗ ଅନୁସାରେ ପ୍ରଳୟଙ୍କାରୀ ବାତ୍ୟା ଫନି କ୍ଷୟକ୍ଷତି ଆକଳନ ଏବଂ ଜିଓ ଟ୍ୟାଗରେ ବ୍ୟାପକ ଅନିୟମିତତା ଓ ପକ୍କାଘର, ଚାକିରିଆ, ଧନୀକ ଶ୍ରେଣୀର ଲୋକମାନଙ୍କୁ ତହସିଲର ପ୍ରଶାସନ ପକ୍ଷରୁ ସାମିଲ କରାଯାଇ ପ୍ରକୃତ ଯୋଗ୍ୟ ବିପନ୍ନଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ କରିଆସୁଥିଲେ । ଏହାକୁ ପ୍ରତିବାଦ କରି ଶୁକ୍ରବାର ସନ୍ଧ୍ୟା ୫ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଗୋପ ବ୍ଲକ ଛଇତନା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବିପନ୍ନ ତହସିଲ କାର୍ଯ୍ୟାଳୟକୁ ତାଲା ପକାଇ ବସିଥିଲେ ।
ଏହି ସମୟରେ ଅତିରିକ୍ତ ତହସିଲଦାରଙ୍କ ସମେତ ୧୫ରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟାଳୟ ମଧ୍ୟରେ ଫସି ରହିଥିଲେ । ତେବେ ଏହାର ପ୍ରତିବାଦରେ ଆଜି କାର୍ଯ୍ୟାଳୟକୁ ଆସି କର୍ମଚାରୀମାନେ କାର୍ଯ୍ୟାଳୟକୁ ତାଲା ପକାଇ ଏହାର ପ୍ରତିବାଦ କରି କର୍ମଚାରୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଫଳରେ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶହ ଶହ ହିତାଧିକାରୀ ଫେରୁଥିବା ଦେଖିବାକୁ ମିଳିଛି । ତହସିଲ ଅଫିସରେ ଅଚଳାବସ୍ଥା ପରିସ୍ଥିତି ଉପୁଜିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ