ପୁରୀ:ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା । ଗତକାଲି(ଶନିବାର) ଠାରୁ ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠବାଡିରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଶ୍ରାବଣ ଶୁକ୍ଳ ଦଶମୀରୁ ପ୍ରତିପଦା ଯାଏଁ ଏହି ଝୁଲଣ ଯାତ୍ରା ଚାଲିବ । ଏହି ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ତେବେ ଗୋପୀମାନଙ୍କ ଗହଣରେ ଶ୍ରୀ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ ହେଉଛି ଝୁଲଣ ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ସହ ବିଭିନ୍ନ ମଠ, ମନ୍ଦିରରେ ବ୍ୟାପକ ଆୟୋଜନ ହୋଇଛି ।
ଝୁଲଣ କୁଞ୍ଜ ତଥା ଦୋଳିକୁ ଆକର୍ଷଣୀୟ ଭାବେ ସଜା ଯାଇଛି । ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଝାଲର, ଫୁଲ, ନାଗାଫୁଲ, ଖମ୍ୱ ଝାଲର, ବାଙ୍କ ଝାଲର ଲଗାଯାଇଛି । ରାଧାକୃଷ୍ଣଙ୍କ ସହ ରାମସୀତା, ଲକ୍ଷ୍ମୀ ନୃସିଂହ ବିଭିନ୍ନ ଦିବସରେ ଦୋଳି ଖେଳୁଛନ୍ତି । ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜ୍ଜିତ ଝୁଲଣ କୁଞ୍ଜ ମଧ୍ୟରେ ଜରି ଜମ୍ୱୁରା କାମ କରାଯାଇଛି । ଏଥିସହ ସୋଲରେ ପ୍ରସ୍ତୁତ ଫୁଲ ଓ କଦମ୍ୱ ମାଳ କୁଞ୍ଜର ଶୋଭାକୁ ଆହୁରି ବଢ଼ାଇଛି । ସୋଲରେ ପ୍ରସ୍ତୁତ ବିଭିନ୍ନ ପକ୍ଷୀ କୁଞ୍ଜ ପରିବେଶକୁ ଅଧିକ ଆକର୍ଷଣୀୟ କରିଛି ।
ସେହିପରି ଶ୍ରୀମନ୍ଦିରରେ ଶ୍ରୀଜିଉ ଝୁଲଣ କୁଞ୍ଜରେ ବିଜେ ହେବା ପରେ ସେବକ ତଥା ପ୍ରସିଦ୍ଧ ଗାୟକଙ୍କ ଦ୍ଵାରା ପାରମ୍ପରିକ ଚମ୍ପୁ, ଛାନ୍ଦ ଓ ପୁରାତନ ଝୁଲଣର ରାସ ଗୀତ ପରିବେଷିତ ହୋଇଥିଲା । ଶ୍ରୀକ୍ଷେତ୍ରରେ ଝୁଲଣ ମହୋତ୍ସବ ଠାକୁରଙ୍କ ଏହା ବର୍ଷାକାଳୀନ ରାହାସ ଉତ୍ସବ । ଏହି ଉତ୍ସବ ଅବସରରେ ସୁସଜ୍ଜିତ ଝୁଲଣ କୁଞ୍ଜରେ ବିଜେ ହୋଇଥାଆନ୍ତି ଦେବା ଦେବୀ । କୁଞ୍ଜକାନନର ପଶୁପକ୍ଷୀଙ୍କ କଲରବ ମଧ୍ୟରେ ଠାକୁର ଝୁଲୁଥାଆନ୍ତି । ଝୁଲଣ ଯାତ୍ରା ପାଇଁ ମଠ ବାଡ଼ିମାନଙ୍କରେ ପ୍ରସ୍ତୁତି ବ୍ୟାପକ କରାଯାଇଛି । ତେବେ ମଠରେ ଚଳିତ ବର୍ଷ ଅନେକ ନୂଆ ସାଜସଜ୍ଜା ତିଆରି ହୋଇଛି । ପାରମ୍ପରିକ କାରିଗର ମାନଙ୍କ ସାଜ ସଜ୍ଜାରେ ଝଲସୁଛି କୁଞ୍ଜ ।