ପୁରୀ: ମାତ୍ର ୧୦ ବର୍ଷ ବୟସରେ ଜୀବନ ସହ ସଂଗ୍ରାମ କରୁଛି ପୁରୀ କାଶିହରିପୁର ପଞ୍ଚାୟତ ଅଠରନଳା ନୀଳଚକ୍ର ନଗର ମୁସଲିମ ବସ୍ତିର ସୁହାନା ବେଗମ୍ । ମାରାତ୍ମର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇଛି କୁନି ଝିଅ । ଆଉ ଏଭଳି ସ୍ଥିତିରେ ଉତ୍ତମ ଚିକିତ୍ସାର ଆବଶ୍ୟକ ରହିଥିବା ବେଳେ ଅର୍ଥ ସାଜିଛି ବାଧକ । ଏଥିଲାଗି ପରିବାର ଲୋକେ ରାଜ୍ୟ ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ନିକଟରେ ସୁହାନାକୁ ସହଯୋଗ କରିବା ପାଇଁ ଗୁହାରି କରିଛନ୍ତି ।
କୋରୋନା ମହାମାରୀ ସମୟରେ ପ୍ରଥମେ ସୁହାନାଙ୍କୁ ଜ୍ଵର ହେଲା । ଜ୍ଵର ଭଲ ନହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ, ପରେ ଭୁବନେଶ୍ବର ୬ ନମ୍ବର ହସ୍ପିଟାଲ, ଶିଶୁ ଭବନ ଓ ପରେ କଟକ ବଡ ଡାକ୍ତରଖାନା ହେମାଟୋଲୋଜି ବିଭାଗରେ ଭର୍ତ୍ତି କରିଥିଲେ। ତେବେ ରକ୍ତ ପରୀକ୍ଷା ହେବା ପରେ ସୁହାନା ବେଗମ୍ ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିବା ଜଣାପଡ଼ିଲା । ସୁହାନାଙ୍କ ବାପା ଜଣେ ଅଟୋ ଡ୍ରାଇଭର ହୋଇଥିବାରୁ ବହୁ କଷ୍ଟରେ ଧାର ଉଧାର କରି ଝିଅକୁ ଭଲ କରିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ସୁହାନାର ଚିକିତ୍ସାରେ ସୁଧାର ଆସିଲା ନାହିଁ।
ପରିବାର ମୁଣ୍ଡ ଉପରେ ବଜ୍ର ପରି ବିପଦ ଠିଆ ହୋଇଗଲା । ସୁହାନାର ଚିକିତ୍ସା ପାଇଁ ୩୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହୁଛନ୍ତି । ଏଣୁ ଏଭଳି ସ୍ଥଳେ ପରିବାର ଲୋକେ ଉପାୟଶୂନ୍ୟ ହୋଇପଡ଼ିଛନ୍ତି । ସୁହାନାଙ୍କ ଜେଜେ ମା' ସୁଲେମା ଗାଁରେ ଘରକୁ ଘର ବୁଲି ନାତୁଣୀର ଚିକିତ୍ସା ପାଇଁ ଟଙ୍କା ମାଗୁଛନ୍ତି । ରାଜ୍ୟ ସରକାର କିମ୍ବା ବଦାନ୍ୟ ବ୍ୟକ୍ତି ତାଙ୍କୁ ସହଯୋଗର ହାତ ବଢାଇଲେ ସୁହାନା ଏକ ନୂଆ ଜୀବନ ପାଇପାରିବ ବୋଲି ପରିବାର ଲୋକେ ଗୁହାରି କରିଛନ୍ତି । ସୁହାନା ଏବେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।