କଂଗ୍ରେସରେ ସାମିଲ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜୟ, କହିଲେ ତାଙ୍କ ଇଚ୍ଛାରେ ଆଗକୁ ରାଜ୍ୟରେ ପରିବର୍ତ୍ତନ ଆସିବ ପୁରୀ:କଂଗ୍ରେସ ଦଳରେ ଯୋଗ ଦେବା ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପୁରୀ ଗସ୍ତ କରିଛନ୍ତି । ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଓଡ଼ିଶାର ବିକାଶ ଓ ଉନ୍ନତି ଲାଗି ପ୍ରାର୍ଥନା କରିଥିବା କହିଛନ୍ତି । ଓଡ଼ିଶାରେ ଜଗତର ନାଥ ଜଗନ୍ନାଥ ବିଦ୍ୟମାନ । ତାଙ୍କ ଇଚ୍ଛାରେ ଆଗକୁ ରାଜ୍ୟରେ ପରିବର୍ତ୍ତନ ଆସିବ । କଂଗ୍ରେସକୁ ଓଡ଼ିଶାବାସୀ ସମର୍ଥନ କରିବେ ବୋଲି ଆଶା ରଖିଥିବା କହିଛନ୍ତି ବିଜୟ ।
ବିଜୟ ପ୍ରଥମେ ଶ୍ରୀମନ୍ଦିର କାର୍ଯ୍ୟଳୟ ପାଖରେ ପହଞ୍ଚିବା ପରେ ପୁରୀର କଂଗ୍ରେସ କର୍ମୀମାନେ ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ସେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ। ପରେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରି ଓଡ଼ିଶାବାସୀଙ୍କ ସଫଳତା, ଉନ୍ନତି ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ।
ଏହା ବି ପଢନ୍ତୁ- ଓଡ଼ିଶାରେ ପାଦ ଦଉ ଦଉ ସରକାରଙ୍କୁ ବିଜୟଙ୍କ ଟାର୍ଗେଟ୍, କହିଲେ ପରିବର୍ତ୍ତନ ଆବଶ୍ୟକ
ଏହା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇ ସେ କହିଥିଲେ, "ଦେଶରେ ଓଡ଼ିଶା ଏକ ଗରିବ ରାଜ୍ୟ ବୋଲି ଅପଖ୍ୟାତି ଅର୍ଜନ କରିଛି। ତେବେ ଓଡ଼ିଶାକୁ ଏକ ଉନ୍ନତ ରାଜ୍ୟ ଗଠନ ନେଇ ସେ କାର୍ଯ୍ୟ କରିବେ। ଏ ନେଇ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଥିବା କହିଥିଲେ। ଓଡ଼ିଶା ପାଇଁ ଏକ ନିର୍ଦ୍ଦିଷ୍ଟ ଭିଜନ ରଖି କାର୍ଯ୍ୟ ହେବା ଉଚିତ୍। ଏବେ କେବଳ ବିଜେଡ଼ି ସରକାର ଭୋଟ ସର୍ବସ୍ବ ରାଜନୀତି କରୁଛି। କିନ୍ତୁ ଓଡ଼ିଶାକୁ ଉନ୍ନତି କରିବା ପାଇଁ ଚିନ୍ତା କରିବାର ବେଳ ଆସିଛି।"
ତେବେ ସେ ଏକ ନିର୍ଦ୍ଦିଷ୍ଟ ଭିଜନ ନେଇ ଓଡ଼ିଶାବାସୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସେହିପରି ବିଜେଡି ଓଡ଼ିଶାରେ ବିରୋଧୀ ଶୂନ୍ୟ କରି ଦେଇଥିବା ନେଇ ଯେଉଁ କଥା କହୁଛି ସେ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜୟ ପଟ୍ଟନାୟକ। ଓଡ଼ିଶାରେ ମହାପ୍ରଭୁ ଅଛନ୍ତି। ତାଙ୍କରି ଇଚ୍ଛାରେ ନିଶ୍ଚିତ ପରିବର୍ତ୍ତନ ଆସିବ। ଲୋକଙ୍କ ମନ ପରିବର୍ତ୍ତନ ହେବ। ପ୍ରକୃତ କଥା ଲୋକମାନେ ହୃଦବୋଧ କରି କଂଗ୍ରେସକୁ ଓଡ଼ିଶାବାସୀ ସମର୍ଥନ କରିବେ ବୋଲି ବିଜୟ ପଟ୍ଟନାୟକ ଆଶା ରଖିଥିବା କହିଛନ୍ତି ।
ବିଜୟ ଦିଲ୍ଲୀ AICC କାର୍ଯ୍ୟାଳୟରେ କଂଗ୍ରେସରେ ଯୋଗଦେବା ପରେ ସୋମବାର ଓଡ଼ିଶା ଫେରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହାସହିତ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । କଂଗ୍ରେସ ଭବନରେ ପହଞ୍ଚିବା ପରେ ସେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଶାସନ ଓ ପ୍ରଶାସନ ଯେଉଁଭଳି ଚାଲିଛି ତାହାକୁ ମୁକ ଭାବେ ବସି ଦେଖିବାକୁ ତାଙ୍କୁ ପାଇଁ ସମ୍ଭବପର ନଥିଲା । ସରକାରଙ୍କ ବିଧାୟକମାନେ କହୁଛନ୍ତି ସବୁ କିଛି ତୃତୀୟ ମହଲା କରୁଛି । ଏହି ତୃତୀୟ ମହଲା କାହା ପାଇଁ ଉଦ୍ଦିଷ୍ଟ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କରିବା ସମ୍ଭବପର ନୁହେଁ । ଏହା ପଛରେ ନିଶ୍ଚିତ ଆଉ କିଏ ରହିଛି ।
ଇଟିଭି ଭାରତ, ପୁରୀ