ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ମୁଣ୍ଡ ଟେକିଲା ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ PSO ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା । ଘଟଣାରେ ସଞ୍ଜୟ ଦାସବର୍ମାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ଚିତ୍ତରଞ୍ଜନଙ୍କ ପରିବାର ଲୋକେ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ । ଚିତ୍ତରଞ୍ଜନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିକରି ବ୍ରହ୍ମଗିରିରେ ଏକାଠି ହେଲେ ରାଜ୍ୟସ୍ତରୀୟ ନ୍ୟାୟ ପାଇଁ ଲଢେଇ ସଂଗଠନ ।
ଗତ ୨୦୨୧ ଡିସେମ୍ବର ୧୧ ତାରିଖରେ ପୁରୀରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ସେଠାରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ PSO ଚିତ୍ତରଞ୍ଜନ ପଲେଇ । ଦୁଇ ଦିନ ପରେ ଅର୍ଥାତ ୨୦୨୧ ଡିସେମ୍ବର ୧୩ ତାରିଖ ସକାଳୁ ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଡମୃଗଶିରା ବ୍ରିଜ୍ ନିକଟ ଏକ ନଦୀକୂଳରୁ ମିଳିଥିଲା ଚିତ୍ତରଞ୍ଜନଙ୍କ ପର୍ସ, ଜୋତା ଏବଂ ଏକ ମୋଟର ସାଇକେଲ । ପରେ ସେହିଦିନ କ୍ଷତ ବିକ୍ଷତ ଅବସ୍ଥାରେ ଚିତ୍ତଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲେକେ । ଖବର ପାଇ ସଦରଥାନା ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ଚିତ୍ତଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପରେ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଏନେଇ ୧୮/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେବେ ଏହି ଚର୍ଚ୍ଚିତ ହତ୍ୟା ଘଟଣା ଆଜିକୁ ପ୍ରାୟ ଦେଢ଼ ବର୍ଷ ବିତିବାକୁ ବସିଲାଣି । ହେଲେ ଘଟଣାରେ କେବଳ ଜଗନ୍ନାଥ ପ୍ରଧାନ ଓ ଅଶୋକ ଉପାଧ୍ୟାୟ ନାମକ ଦୁଇ ଜଣଙ୍କୁ ଗିରଫ କରି ଅନ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ଚିତ୍ତଙ୍କ ପରିବାର ଲୋକେ । ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତ ଖୁଲମଖୁଲା ବାହାରେ ବୁଲୁଥିବା ଅଭିଯୋଗ କରିଛନ୍ତି ଚିତ୍ତଙ୍କ ପରିବାର ।