ଓଡିଶା

odisha

ETV Bharat / state

ସମସ୍ୟା ଘେରରେ ପୁରୀ ସହର: ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ଓ କଂଗ୍ରେସର ପୂର୍ବତନ କାଉନସିଲ - ପୌରାଞ୍ଚଳରେ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ ପୌରାଞ୍ଚଳରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବିଜେପି ଓ କଂଗ୍ରେସର ପୂର୍ବତନ କାଉନସିଲ । ଅଧିକ ପଢନ୍ତୁ

ସମସ୍ୟା ଘେରରେ ପୁରୀ ସହର
ସମସ୍ୟା ଘେରରେ ପୁରୀ ସହର

By ETV Bharat Odisha Team

Published : Sep 16, 2023, 9:41 AM IST

Updated : Sep 16, 2023, 2:11 PM IST

ସମସ୍ୟା ଘେରରେ ପୁରୀ ସହର

ପୁରୀ: ମାଳ ମାଳ ସମସ୍ୟା ଘେରରେ ଐତିହ୍ୟ ସହର ପୁରୀ । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ପୌରାଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ, ଷ୍ଟ୍ରିଟଲାଇଟ, ଡ୍ରେନେଜ ପ୍ରଭୃତି ସମସ୍ୟା ରହିଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ଓ କଂଗ୍ରେସର ପୂର୍ବତନ କାଉନସିଲର । ତେଣୁ ପାର୍ବଣ ପୂର୍ବରୁ ଏହିସବୁ ମୌଳିକ ସମସ୍ୟାର ସମାଧାନ ପାଇଁ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସହ ଦୁଇ ଦଳର ପୂର୍ବତନ କାଉନସିଲରମାନେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ପୌର ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସହରର ରାସ୍ତାଘାଟ, ଡ୍ରେନେଜ୍ ଓ ଷ୍ଟ୍ରିଟଲାଇଟ ମରାମତି ପ୍ରସଙ୍ଗକୁ ନେଇ ପୂର୍ବତନ କାଉନସିଲରମାନେ ଜିଲ୍ଲାପାଳ ଓ ପୌର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଖୁବଶୀଘ୍ର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପୁରୀ ପୌର ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହାପୂର୍ବରୁ ପୁରୀ ପୌରାଞ୍ଚଳର ପୂର୍ବତନ ବିଜେଡି କାଉନସିଲରମାନେ ସମାନ ସମସ୍ୟା ନେଇ ପୌର ଅଧିକାରୀଙ୍କୁ ଭେଟିଥିଲେ ।

ଏହାମଧ୍ୟ ପଢନ୍ତୁ: ଐତିହ୍ୟ ସହରରେ ମୌଳିକ ସୁବିଧାର ଅଭାବ, କେଉଁଠି ଖର୍ଚ୍ଚ କରୁଛନ୍ତି ସରକାରୀ ଅନୁଦାନ ?

ପୁରୀ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆର କହିଛନ୍ତି ଯେ, ମାସକୁ ଦୁଇଥର ପୂର୍ବତନ କାଉନସିଲରଙ୍କୁ ନେଇ ବୈଠକ କରିବାକୁ ସେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏହାଦ୍ବାରା ୱାର୍ଡଗୁଡିକରେ ଥିବା ସମସ୍ୟା ଶୀଘ୍ର ସମାଧାନ ହୋଇପାରିବ । ଗତ ୫ ବର୍ଷ ହେବ ପୁରୀରେ ପୌର ନିର୍ବାଚନ ହୋଇନଥିବାରୁ ପୌରପରିଷଦ ଗଠନ ହୋଇନାହିଁ । ୱାର୍ଡରେ ନିର୍ବାଚିତ କାଉନସିଲର ନଥିବାରୁ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରୁନି ।

ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ଯେ, ଆଗକୁ ପାର୍ବଣ ଋତୁ ଆସୁଛି । ପୁରୀକୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହେବ । ହେଲେ ସହରର ରାସ୍ତାଘାଟ ଓ ଗଳିକନ୍ଦିରେ ରାସ୍ତା, ଡ୍ରେନ ମରାମତି ହୋଇନାହିଁ । ଅନେକ ସ୍ଥାନରେ ପାଣି ପାଇପ୍ ଷ୍ଟାଣ୍ଡ ପୋଷ୍ଟ ଅଚଳ ହୋଇପଡିଛି । ଷ୍ଟ୍ରିଟ ଲାଇଟ୍ ଖରାପ ଥିବାରୁ ଅଧିକାଂଶ ଅଞ୍ଚଳ ଅନ୍ଧାରରେ ରହୁଛି । ଫଳରେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ଏହିସବୁ ସମସ୍ୟା ସମାଧାନ ପାଇଁ ପ୍ରଶାସନ ପୂର୍ବତନ କାଉନସିଲରଙ୍କ ସହ ପ୍ରତି ମାସରେ ବୈଠକ କରି ବିଭିନ୍ନ ଅଞ୍ଚଳର ସମସ୍ୟା ସମାଧାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ସେପଟେ ଜିଲ୍ଲାପାଳ ପୌର ଅଧିକାରୀଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବତନ କାଉନସିଲରଙ୍କ ମତାମତ ନେଇ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Sep 16, 2023, 2:11 PM IST

ABOUT THE AUTHOR

...view details