ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ଜୋନରୁ ଘର ଛାଡିବା ଆରମ୍ଭ କରିଛନ୍ତି ବିସ୍ଥାପିତ ପରିବାର । ଜମି ସରକାରଙ୍କୁ ବିକ୍ରି କରି ଦେବା ପରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି । ଘରର ଦୁଆର ବନ୍ଧ, ଆସବାବପତ୍ର, ଝରକା କବାଟ ଠାରୁ ଆରମ୍ଭ କରି ଘରର ଜାବତୀୟ ଜିନିଷ ଧରି ପଳାଇଛନ୍ତି । ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ରଖି ଲୋକମାନେ ନିଜ ଜମି ବିକ୍ରି କରିବା ସହ ଘର ଛାଡିଛନ୍ତି ।
ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବାସେଳିସାହି ମୌଜାର 2ଟି ପରିବାର କ୍ଷତିପୂରଣ ବାବଦ ଅର୍ଥ ପାଇବା ପରେ ପ୍ରଶାସନ ହାତକୁ ଟେକି ଦେଇ ଲୋକମାନେ ନିଜ ଘରଦ୍ବାର ଛାଡିଛନ୍ତି । ଏବେ ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ସମସ୍ତ ପରିବାର ଜଣେ ପରେ ଜଣେ ଘର ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ସାମାଜିକ ପ୍ରଭାବ ସର୍ବେକ୍ଷଣ ଆଧାରରେ ବିସ୍ଥାପିତ ମାନଙ୍କୁ ଥଇଥାନ ଯୋଜନାରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉଛି । ଏଥିରେ କାହାରିକୁ ଅସନ୍ତୋଷ କରାଯାଉନାହିଁ । ସଠିକ୍ ପ୍ୟାକେଜ ସହ ୧୦ ପ୍ରତିଶତ ସ୍ବତନ୍ତ୍ର ବେନିଫିଟ୍ ଦିଆଯାଉଛି ।