ପୁରୀ: ଜମୁଛି ଜୋରଦାର କ୍ୟାମ୍ପେନିଂ । କମ୍ପୁଛି ପିପିଲି ଗଳିକନ୍ଦି । ପିପିଲି ଫାଇଟ୍ ପାଇଁ ପ୍ରଚାରର ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ଆପଣାଇଛନ୍ତି ବିଭିନ୍ନ ରଣନୀତି । ସେପ୍ଟେମ୍ବର 30 ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନେଇ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ ଅନୁଯାୟୀ ଆଜି ପ୍ରଚାରର ଶେଷ ଦିବସ । ଏଥିପାଇଁ ସମସ୍ତ ରାଜନୈତିକ ଦଳ କଳ ବଳ କୌଶଳ ଲଗାଇ ଦେଇଛନ୍ତି । ଡୋର ଟୁ ଡୋର କ୍ୟାମ୍ପେନରେ ପଡୁଛି ଉଠୁଛି ପିପିଲି ଓ ଡେଲାଙ୍ଗ ଅଞ୍ଚଳ । ସବୁ ରାଜନୈତିକ ଦଳ ଭୋଟର ପ୍ରତିଶୃତିରେ ପୋତି ପକାଉଛନ୍ତି । ଦଳ ଜିତିଲେ ପିପିଲିର ବ୍ୟାପକ ବିକାଶ ହେବ ବୋଲି କହିଛନ୍ତି । ତେବେ ପିପିଲି ଉପନିର୍ବାଚନ ନେଇ ଆସନ୍ତୁ ଜାଣିବା କଣ ରହଛି ଭୋଟରଙ୍କ ପ୍ରତିକ୍ରିୟା ।
କୃଷି , ଜଳ ସେଚନ , ଶିକ୍ଷା , ସ୍ବାସ୍ଥ୍ୟ ଭିତ୍ତିଭୂମି ରେ ବିକାଶ ହେବ ବୋଲି ବିଜେଡି , ବିଜେପି ଓ କଂଗ୍ରେସ ପ୍ରଚାର କରୁଛନ୍ତି। ପିପିଲି ନିର୍ବାଚନ ମଣ୍ଡଳୀ ରେ 2 ଲକ୍ଷ 29 ହଜାର 998 ଜଣ ଭୋଟର ପ୍ରାର୍ଥୀ ଙ୍କ ଭାଗ୍ୟ ନିରୂପଣ କରିବେ। 1ଲକ୍ଷ 19 ହଜାର 206 ଜଣ ପୁରୁଷ , 1 ଲକ୍ଷ 10 ହଜାର 790 ଜଣ ମହିଳା ଓ ଦୁଇ ଜଣ ତୃତୀୟ ଲିଙ୍ଗ ଭୋଟର ମତଦାନ କରିବେ । ତେବେ ଏଥର ପିପିଲି ବିଜେଡି ହାତରେ ରହିବ ନା ଅନ୍ୟ କୌଣସି ଦଳ ହାତକୁ ଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ବିଜେଡିର ଗଡ଼ ରହିଛି ପିପିଲି ନିର୍ବାଚନ ମଣ୍ଡଳୀ । ସ୍ବର୍ଗତ ପ୍ରଦୀପ ମହରଥୀ ମୋଟ 7 ଥର ପିପିଲି ରୁ ବିଧାୟକ ହୋଇ ଥିବା ବେଳେ ବିଜେଡି ରୁ 5 ଥର ବିଧାୟକ ଥିଲେ। ତେବେ ତାଙ୍କର ଗତବର୍ଷ 2020 ଅକ୍ଟୋବର 4 ରେ ମୃତ୍ୟୁ ପରେ ଉପ ନିର୍ବାଚନ ହେଉଛି।
ତେବେ ପିପିଲି , ଡେଲାଙ୍ଗ ଅଞ୍ଚଳରେ ଏବେ ବି ଶିକ୍ଷା , ସ୍ୱାସ୍ଥ୍ୟ , ରାସ୍ତା ଘାଟ , କୃଷି , ଜଳ ସେଚନ ସମସ୍ୟା ଥିବା ବେଳେ ଭୋଟର ଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେହିପରି ଗତ ଫୋନି ମହାବାତ୍ୟା ରେ ଅନେକ ଲୋକ ବାସହୀନ ହୋଇ ଥିବାବେଳେ ଅନେକ ଦୁର୍ନୀତି ଯୋଗୁଁ ବହୁତ ଯୋଗ୍ୟ ହିତାଧିକାରୀ ଘର ସହାୟତା କି ଆର୍ଥିକ ସହାୟତା ପାଇ ନ ଥିବା ଅଭିଯୋଗ ହୋଇଛି।