ଭୁବନେଶ୍ବର: ଦେଶର ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କର ପରଲୋକ ହୋଇଛି । ବୟସାଧିକ କାରଣରୁ ପ୍ରଫୁଲ୍ଲଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା । ପ୍ରଫୁଲଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଫୁଲ୍ଲଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ହୋଇଛି ।
ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ପ୍ରତିଷ୍ଠାରେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନା । ଡକ୍ଟର ଜେନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଥିଲେ । ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ପରମ ମିତ୍ର ଥିଲେ । ଭାରତ ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ - CSIRର ମହାନିର୍ଦ୍ଦେଶକ ଥିଲେ । ଏହି ପଦବୀରେ ନିଯୁକ୍ତ ହେବାରେ ସେ ପ୍ରଥମ ଓଡ଼ିଆ । ଭୁବନେଶ୍ୱରରେ ପ୍ରତିଷ୍ଠିତ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ, ସାଇନସ ପାର୍କ ଓ ପଠାଣି ସାମନ୍ତ ପ୍ଲାନେଟାରିଅମ ପ୍ରତିଷ୍ଠାରେ ପ୍ରଫୁଲ୍ଲ କୁମାର ଜେନାଙ୍କର ଅଗ୍ରଣୀ ଭୂମିକା ରହିଛି ।
ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ ସ୍ବର୍ଗତ ଜେନାଙ୍କୁ ମହାନ ବୈଜ୍ଞାନିକ ଭାବେ ବର୍ଣ୍ଣନା କରିଛନ୍ତି । ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ନବୀନ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।