ପୁରୀ :ପର୍ଯ୍ୟଟନ ସହର ପୁରୀରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅପାରଗ ପଣିଆ । ସହରବାସୀ ଅସ୍ବାସ୍ଥ୍ୟକର ପରିବେଶରେ ଘାଣ୍ଟି ହେଉଛନ୍ତି । ସହରରେ ଥିବା ସ୍ବରାଜ ଚାମ୍ବର ନିର୍ମାଣରେ ବ୍ୟାପକ ତ୍ରୁଟି ବିଚ୍ୟୁତ ଥିବାବେଳେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିଦିନ ସ୍ବରାଜ ଚାମ୍ବର ଫାଟି ବିଭିନ୍ନ ସ୍ଥାନରେ ମଇଳା ପାଣି ଭାସୁଛି । ତେବେ ଏ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀର ପ୍ରମୁଖ ରାସ୍ତା ଚକ୍ରତୀର୍ଥ ଅଞ୍ଚଳର । ସ୍ବରାଜ ଚାମ୍ବର ଫାଟି ରାସ୍ତା ଉପରେ ସୃଷ୍ଟି ହୋଇଛି କୃତିମ ବନ୍ୟା ।
ତେବେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଏହି କୃତିମ ବନ୍ୟା ଯୋଗୁଁ ଏହି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା। ଏହି ଘଟଣା କେବଳ ଆଜିର ନୁହେଁ । ଅନେକ ସମୟରେ ଏଭଳି ଅବସ୍ଥା ଭୋଗୁଛନ୍ତି ଏଠାକାର ବାସିନ୍ଦା। ତେବେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଆଖିବୁଜା ଦୁର୍ନୀତି ଯୋଗୁଁ ନିମ୍ନ ମାନର କାମ ପାଇଁ ଏଭଳି ଅସୁବିଧା ଭୋଗୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।