ପୁରୀ: ଐତିହାସିକ ସହର ପୁରୀ । ସାରା ବିଶ୍ୱରେ ପୁରୀ ବେଳାଭୂମିର ରହିଛି ସ୍ବତନ୍ତ୍ର ପରିଚୟ । ପୁରୀ ଶ୍ରୀମନ୍ଦିର ପରେ ବେଳାଭୂମି ହେଉଛି ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ । ପୁରୀ ବେଳାଭୂମି କିପରି ଆବର୍ଜନା ମୁକ୍ତ ରହିବ ସେନେଇ ମଧ୍ୟ ପ୍ରୟାସ ଜାରି ରହିଛି । ଏହାର ସଫାସୁତୁରା ଓ ସୌନ୍ଦର୍ଯ୍ଯକରଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ପ୍ରତିଦିନ ଦେଶ ତଥା ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନର ମଜା ଉଠାଉଛନ୍ତି । କିନ୍ତୁ ଏବେ ଏଠାକୁ ଆସୁଥିବା ପର୍ଯ୍ୟଟକ ବା ସହରବାସୀଙ୍କୁ ବ୍ୟଥିତ କରିଛି ସ୍ବେରେଜ ମଇଳା ପାଣି । ନର୍ଦ୍ଦମାର ମଇଳା ପାଣି ବେଳାଭୂମି ରାସ୍ତାରେ ଲହଡି ମାରିବା ସହ ସମୁଦ୍ର ଗର୍ଭରେ ଯାଇ ମିଶୁଛି । ଫଳରେ ଦୁର୍ଗନ୍ଧମୟ ପରିବେଶକୁ ନେଇ ରାସ୍ତାରେ ଚାଲିବାକୁ ମଧ୍ୟ ଇଚ୍ଛା କରୁନାହାନ୍ତି ପର୍ଯ୍ୟଟକ ।
ପୁରୀ ବେଳାଭୂମିର ସ୍ବତନ୍ତ୍ର ସ୍ଥାନ ସାରା ବିଶ୍ୱରେ ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସ୍ବରେଜ ଭିତରୁ ବାହାରୁଥିବା ମଇଳା ପାଣି ବେଳାଭୂମି ରାସ୍ତା ଉପରେ ଭାସୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦା । ଆଶ୍ଚର୍ଯ୍ୟର ବିଷୟ ମାତ୍ର ଶହେ ମିଟର ଦୂରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ପ୍ରତି ପ୍ରଶାସନର ଯେମିତି ନିଘା ନଥିବା ପରି ମନେ ହେଉଛି । ତେବେ ଏହି ସମସ୍ୟା ପାଇଁ ପ୍ରଶାସନକୁ ସିଧାସଳଖ ଦାୟୀ କରିଛନ୍ତି ପର୍ଯ୍ୟଟକ ତଥା ସହରବାସୀ । ପ୍ରଶାସନ ଏବଂ ହୋଟେଲିୟର ମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଏହି ସମସ୍ୟା ଜଟିଳ ରୂପ ଧାରଣ କରିଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ଆନନ୍ଦ ବଜାରରେ ଲାଗୁନି ରେଟଚାର୍ଟ, ଚଢାଦରରେ ଅଭଡା କିଣି ଅତିଷ୍ଠ ଶ୍ରଦ୍ଧାଳୁ