ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତିନି କୁକୁର, କାହିଁକି ଜାଣନ୍ତୁ - rathajatra

ଦେବାଳୟ ହେଉ ଅବା ପୂଜାଘର କୁକୁର ପ୍ରବେଶରେ ନୀତି ମାରା ହେବା ସହ ସ୍ଥାନ ଅପବିତ୍ର ହୋଇଥାଏ । ଏପରି ସ୍ଥଳେ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ କୁକୁର ଦେବୀଙ୍କୁ ପୂଜା କରାଯାଏ, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ବିଷୟ ବସ୍ତୁ । ଆସନ୍ତୁ ଜାଣିବା ଶ୍ରୀମନ୍ଦିରରରେ କଣ ପାଇଁ କୁକୁର ଦେବୀଙ୍କୁ ପୂଜା କରାଯାଏ ।

ଡିଜାଇନ ଫଟୋ

By

Published : Jun 21, 2019, 8:34 AM IST

ଭୁବନେଶ୍ବର: ଏମିତି ଅନେକ ଅଲୌକିକ କଥାବସ୍ତୁ ଶ୍ରୀମନ୍ଦିର ସହ ଜଡିତ ଯାହା ଯେତିକି ଅଦଭୁତ ସେତିକି ଅକଳ୍ପନୀୟ । ତନ୍ମଧ୍ୟରୁ ମନ୍ଦିରରେ କୁକୁର ପୂଜା କରାଯାଉଥିବା କଥା ବେଶ୍‌ ରୋଚକ । କାହିଁକି କୁକୁର ପୂଜା କରାଯାଏ ତାର କାରଣ କଣ ସେ ବିଷୟରେ ପ୍ରାୟ ସମସ୍ତେ ଅଜ୍ଞ । ଦେବାଳୟ ହେଉ ଅବା ପୂଜାଘର କୁକୁର ପ୍ରବେଶରେ ନୀତି ମାରା ହେବା ସହ ସ୍ଥାନ ଅପବିତ୍ର ହୋଇଥାଏ । ଏପରିସ୍ଥଳେ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ କୁକୁର ଦେବୀଙ୍କୁ ପୂଜା କରାଯାଏ, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ବିଷୟ ବସ୍ତୁ । ଆସନ୍ତୁ ଜାଣିବା ଶ୍ରୀମନ୍ଦିରରରେ କଣ ପାଇଁ କୁକୁର ଦେବୀଙ୍କୁ ପୂଜା କରାଯାଏ ।

କେବେ ମନ୍ଦିର ଭିତରେ କୁକୁର ପ୍ରବେଶ କରନ୍ତି ନାହିଁ । ଏହାର କାରଣ ହେଲା ମନ୍ଦିର ବେଢାରେ କୁକୁର ରୂପରେ ବିରାଜିତା ମା କୁତ୍ତାମ ଚଣ୍ଡୀ ବା କୁଟାମଚଣ୍ଡୀ, ଦେବୀ ଦ୍ବିଭୁଜା । ଗୋଟିଏ ହାତରେ ଖଡ଼ଗ ଓ ଅନ୍ୟ ହାତରେ ଖର୍ପର । ମୂର୍ତ୍ତିଟି ଏକ ଛୋଟ ବଖରାରେ ରହିଛନ୍ତି । ଅନନ୍ତ ବାସୁଦେବ ମନ୍ଦିରର ଉତ୍ତରପାର୍ଶ୍ବ କାନ୍ଥ ଦେହରେ ଶ୍ରୀମନ୍ଦିରର (ଜଗମୋହନ ଆଡ଼କୁ ମୁହଁ କରି) ଏକ କୁକୁର ମୂର୍ତ୍ତି ବିଦ୍ୟମାନ । ଅନନ୍ତ ବାସୁଦେବ ମନ୍ଦିରର ପୂଜକ ଏହି ମୂର୍ତ୍ତିଙ୍କୁ ପୂଜା କରନ୍ତି । ପ୍ରତିଦିନ ବଳଭଦ୍ରଙ୍କ ବାଡ଼ର ଥାଳି ଖେଚୁଡ଼ି କୁତ୍ତାମଚଣ୍ଡୀଙ୍କୁ ସମର୍ପଣ କରାଯାଏ । ଏହି କାରଣରୁ ମନ୍ଦିର ଭିତରକୁ ଶ୍ବାନ ପ୍ରବେଶ କରନ୍ତି ନାହିଁ ।

କୁହାଯାଏ ଯଦି ମନ୍ଦିର ବେଢ଼ାରେ କେବେ କୁକୁରଟିଏ ପ୍ରବେଶ କରିବାର ଦେଖାଯାଏ, ତା ହେଲେ ମହାପ୍ରଭୁଙ୍କ ନୀତି ମାରା ହୁଏ । ରୋଷେଇ ପାଇଁ ରହିଥିବା ଅମୁଣିଆ ଅଥବା ପ୍ରସ୍ତୁତ ହୋଇଥିବା ମହାପ୍ରସାଦ ମାରା ହୁଏ ଓ ଏହାକୁ ମାଟିରେ ପୋତି ଦିଆଯାଏ। ଏଥିପାଇଁ କୌଣସି ଅନିଷ୍ଟ ଓ ଅଶୁଦ୍ଧତା ନ ହୁଏ ସେଥିପାଇଁ କୁତ୍ତାମଚଣ୍ଡୀ ବେଢା ଜଗନ୍ତି ।

ଏହାସହ ଆଉ କେବେ ଯଦି କୌଣସି ନୀତିରେ ମନ୍ଦିରରେ ଅଶୁଦ୍ଧତା ଅଜାଣତରେ ହୋଇଯାଏ ତାହା ହେଲେ ମା କୁକୁର ବେଶ୍‌ରେ ଆସି ମନ୍ଦିର ବେଢା ଓ ଆନନ୍ଦବଜାରରେ ବୁଲି ଉଭେଇ ଯାଆନ୍ତି । ଏହା ପରୋକ୍ଷରେ ଦର୍ଶାଇ ଥାଏ ଯେ ମନ୍ଦିରରେ ନୀତି ବିଭ୍ରାଟ ହୋଇଥାଏ । ଏସବୁ ବ୍ୟତିରେକ ଅନ୍ୟ କେବେ ହେଲେ ମନ୍ଦିର ଭିତରେ କୁକୁର ପ୍ରବେଶ କରେ ନାହିଁ ।

ଅନ୍ୟ କେତେକ ଗବେଷକଙ୍କ ମତରେ ୧୪୯୮ ମସିହାର ଉଜ୍ଜୟିନୀର ଖ୍ୟାତନାମା ତାନ୍ତ୍ରିକଙ୍କ ପରମର୍ଶ ଅନୁସାରେ ମନ୍ଦିରରେ ଏହି ମୂର୍ତ୍ତି ସ୍ଥାପନ କରାଯାଇଛି । ମନ୍ଦିର ଭିତରେ ବହୁବାର କୁକୁର ପ୍ରବେଶ କରିବାରୁ ନୀତିରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥଲା । ଜଗନ୍ନାଥଙ୍କ ଭୋଗ, ସେବା ପୂଜାରେ ବ୍ୟାଘାତ ହେଉଥବା ବିଷୟ ଜାଣିବା ପରେ ତାନ୍ତ୍ରିକ ପ୍ରତିକାର ସ୍ବରୂପ ମନ୍ଦିରରେ କୁତ୍ତାମ ଚଣ୍ଡୀଙ୍କୁ ପ୍ରତିଷ୍ଠା କରିଥିଲେ । ସେହିଦିନ ଠାରୁ ମନ୍ଦିରୁ ବେଢାରେ ଆଉ କୁକର ପ୍ରବେଶ କଲେ ନାହିଁ ।

ସୂଚନା ଯେ ଶ୍ରୀମନ୍ଦିର ମଧ୍ୟରେ ଅନେକ ତାନ୍ତ୍ରିକ ଦେବୀ ଯଥା କୁତ୍ତାମଚଣ୍ଡୀ, ମଶାଣିଚଣ୍ଡୀ, ଖମ୍ବକାଳୀ, ବେଢାକାଳୀ, କମଳା ଆଦି ପୂଜା ପାଆନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details