ପୁରୀ:ରାତି ପାହିଲେ ଦୀପାବଳି । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ପାପନାଶିନୀ । ମା' କାଳୀଙ୍କୁ ଭବ୍ୟସ୍ବାଗତ କରିବା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଦୀପାବଳୀକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ର ବାସୀଙ୍କ ମଧ୍ୟରେ ରହିଛି ବେଶ୍ ଉତ୍ସାହ । ବିଭିନ୍ନ ରକମର ବାଣ ଫୁଟାଇ ଦୀପାବଳିର ମଜା ନେବା ପାଇଁ ଏବେ ଠାରୁ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ରହିଛି ।
ତେବେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିବାରୁ ବଜାରରେ ଗ୍ରୀନ୍ ବାଣର ବେଶ୍ ଚାହିଦା ରହିଛି । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରର ଖୋଲା ସ୍ଥାନ ତାଳବଣିଆ ଠାରେ ବାଣ ଦୋକାନ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ସେହିପରି ବାଣ ଦୋକାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପାଖରେ ପାଣି, ବାଲି ରଖିବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଏବଂ ବାୟୁ ପ୍ରଦୂଷଣ କରୁଥିବା ବାଣ ବିକ୍ରି ନେଇ କଟକଣା ଜାରି କରାଯାଇଛି । ବିଳମ୍ବିତ ରାତି ଯାଏଁ ବାଣ ଫୁଟା ଉପରେ ମଧ୍ୟ କଟକଣା ଜାରୀ କରିଛି ପୋଲିସ ପ୍ରଶାସନ । ସେପଟେ ଦୀପାବଳି ଅମାବାସ୍ୟାରେ ପିତୃପକ୍ଷରେ ଆସିଥିବା ନିଜର ଦିବଙ୍ଗତ ପ୍ରିୟଜନଙ୍କୁ ବିଦାୟ ଦେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ବଡବଡୁଆ ଡାକିବେ ।