ପୁରୀ:ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଘସପ୍ତମୀ ଚନ୍ଦ୍ର ଭାଗା ମେଳା । ଏନେଇ ଏକ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରୀନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ କିଭଳି ଶାନ୍ତି ଶୃଙ୍ଖଳାରେ ମାଘ ମେଳା ଅନୁଷ୍ଠିତ ହୋଇପାରିବ ସେନେଇ ଆଲୋଚନା ହୋଇଛି । ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋଣାର୍କର ସମସ୍ତ ପ୍ରଶାସନିକ ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ପ୍ରମୁଖ ଯୋଗଦେଇ ନିଜର ମତ ରଖିଥିଲେ ।
ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । କୋଭିଡ କଟକଣା ହେତୁ ଗତ ୨ ବର୍ଷ ବିନା ଭକ୍ତରେ ଚନ୍ଦ୍ରଭାଗା ମାଘ ମେଳା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଏଥିପାଇଁ ଭକ୍ତଙ୍କ ସୁରକ୍ଷା, ଗମନାଗମନ ସୁବନ୍ଦୋବସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 27 ତାରିଖ ରାତି 8 ଟାରୁ 10 ଟା ଭିତରେ ପ୍ରଭୁ ଦକ୍ଷିଣେଶ୍ବର, ଇଶାନେଶ୍ବର ଓ ତ୍ରିବେଣୀଶ୍ବର ବିମାନରେ ବିଜେ କରିବେ ।
ବିମାନରେ ବିରାଜମାନ କରି ରୀତିନୀତି ଅନୁସାରେ ବାଣ ବାଜା ଓ ରୋଷଣୀ ମାଧ୍ୟମରେ ଆସି କୋଣାର୍କ ଏନଏସି କାର୍ଯ୍ୟାଳୟରେ ପହଞ୍ଚିବେ । ପରେ ସେଠାରୁ ରୋଷଣୀ ମାଧ୍ୟମରେ ପୁଣି ଚନ୍ଦ୍ରଭାଗା ତୀର୍ଥର ପୁଷ୍କରିଣୀରେ ପହଞ୍ଚିବେ । ପହଞ୍ଚିବା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ । ଏହାପରେ ରାତ୍ର 2 ଟା 50ରେ ଠାକୁରମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବବେ ।