ପୁରୀ: ଭିନ୍ନକ୍ଷମଙ୍କ ପାଇଁ ସାତ ସପନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ପ୍ରଥମେ ଯୋଜନାରେ ସାମିଲ କଲେ, ପରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଲା । କିନ୍ତୁ ଟଙ୍କା ଆସିବା ପରେ ଆକାଉଣ୍ଟ ହୋଲ୍ଡ ହୋଇଯାଇଛି । ସେନେଇ ବାରମ୍ଭାର ବ୍ଲକକୁ ଯାଇ ନୟାନ୍ତ ହେଲେଣି ହିତାଧୀକାରୀ । ବ୍ଲକ ପ୍ରଶାସନଙ୍କୁ ପଚାରିବାରୁ ସେହି ଚିରାଚରିତ ଢଙ୍ଗରେ ଉତ୍ତର ଦେଲେ ଯେ, ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ।
ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ରତାପଡ଼ା ଗ୍ରାମରେ । ଗାଁର ବାନାମ୍ବର ମଲ୍ଲିକ ଜଣେ ଭିନ୍ନକ୍ଷମ ଓ ଗରିବ ବ୍ୟକ୍ତି । ଓଳିଏ ଖାଇଲେ ଓଳିଏ ଉପାସ । ବାତ୍ୟା ଫନିରେ ଘର ଭାଙ୍ଗିଯିବା ପରେ ଭଙ୍ଗା ଆଜବେଷ୍ଟସକୁ ଯୋଡ଼ି ପଲିଥିନ ଟାଣି ମୁଣ୍ଡ ଗୁଞ୍ଜିଥିଲେ ବାନାମ୍ବର । ଗାଁରେ ତିନି ଜଣିଆ କମିଟି ବାନାମ୍ବରଙ୍କ ବାସ୍ତବ ସ୍ଥିତିକୁ ତଦନ୍ତ କରି ତାଙ୍କୁ ସରକାରୀ ଆବାସ ହିତାଧିକାରୀ ତାଲିକାଭୁକ୍ତ କରିଥିଲେ । ଏହାପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଟଙ୍କା ମଧ୍ୟ ଆସିଲା । କିନ୍ତୁ ପରେ ବ୍ଲକ ପ୍ରଶାସନ ଜମା ଖାତାକୁ ହୋଲ୍ଡ କରି ଦେଇଛନ୍ତି । ଆକାଉଣ୍ଟ ହୋଲ୍ଡ ହେବା ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବାନାମ୍ବର । ଏନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବାରମ୍ଭାର ପଚାରିବା ସତ୍ତ୍ବେ କୌଣସି ଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ।