ପୁରୀ:ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଡ଼କିଆ ତଥା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି । ପ୍ରାତଃ ସମୟରେ ଶ୍ରୀଜିଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଅନୁଷ୍ଠିତ ହେଇଥିଲା । ପଞ୍ଚୁକର ତୃତୀୟ ଦିବସରେ ଏହି ବେଶ ଦର୍ଶନ ପାଇଁ ଆଜି ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିଲା । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭକ୍ତ ନିଜକୁ ଧନ୍ୟ ମଣିଛନ୍ତି ।
ସକାଳୁ ଦୀର୍ଘ ସମୟ ଲାଇନରେ ରହି ମହାପ୍ରଭୁଙ୍କ ଟିକେ ଝଲକ ପାଇ ଭକ୍ତ ବେଶ ଆନନ୍ଦିତ ହୋଇଛନ୍ତି । ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ଵାର ସମ୍ମୁଖରେ ଆନନ୍ଦରେ ମହାପ୍ରସାଦ ବଣ୍ଟନ କରିଥଲେ । ମହାପ୍ରସାଦ ପାଇବା ପାଇଁ ଭକ୍ତ ମଧ୍ୟରେ ବେଶ ଭାବ ବିହ୍ଵଳିତ ପରିବେଶ ଦେଖିବକୁ ମିଳିଥିଲା । ସେପଟେ ହବିଷ୍ୟାଳୀମାନେ ନିଜର ବ୍ରତ ଶେଷ ହେବା ସମୟ ଉପନୀତ ଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନିଜକୁ ଧନ୍ୟ ମଣିଛନ୍ତି । ମହାପ୍ରଭୁ ସବୁବେଳେ ତାଙ୍କରି ଡୋରି ଲଗାଇ ରଖିଥାନ୍ତୁ ବୋଲି ହବିଷ୍ୟାଳୀ କହିଛନ୍ତି ।
ଏହା ବି ପଢନ୍ତୁ- ପଞ୍ଚୁକର ତ୍ରୟୋଦଶୀ ତିଥି: ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଶ୍ରୀମନ୍ଦିର ଚୁନରା ସେବକ ଶରତ ମହାନ୍ତି କହିଛନ୍ତି, "ଯେଉଁ ଭକ୍ତ ପଞ୍ଚୁକରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଦର୍ଶନ କରେ ତାକୁ ଅନନ୍ତ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏହା ମହାପ୍ରଭୁର ଏକ ଅନ୍ୟତମ ଦୁର୍ଲଭ ବେଶ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି । ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ୨ଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଆଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ବର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ଦେବୀ ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ବର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ବର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଆଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ ।"