ପୁରୀ:ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ଭକ୍ତ ଆନନ୍ଦିତ ହୋଇଛନ୍ତି । ତେବେ ଭିଡକୁ ଦୃଷ୍ଟିରେ ରଖାଯାଇ କେବଳ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ବସି ବିଷ୍ଣୁ ସହସ୍ରନାମ, ଗୀତା, ଭାଗବତ ଆଦି ପଠନ କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି ।
ପ୍ରବଳ ଭିଡ ଯୋଗୁଁ ପର୍ଯ୍ୟାୟ କ୍ରମେ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯାଇଛି । ତେବେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଆଜି ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ ନାହିଁ । ସାରା ରାତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ଆସନ୍ତାକାଲି ଦିନ ୮ଟା ସୁଦ୍ଧା ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ରାତିରେ ମଧ୍ୟ ଶ୍ରୀମନ୍ଦିର ଖୋଲା ହେବାକୁ ନିଷ୍ପତ୍ତି ହୋଇଥିବାରୁ ଭକ୍ତମାନେ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ଏହା ବି ପଢନ୍ତୁ- ପଞ୍ଚୁକ ଚତୁର୍ଦ୍ଦଶୀ ତିଥି, ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରତିଦିନ ୧ ଲକ୍ଷରୁ ଅଧିକ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ଏଣୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହେଇଛି । ନୀତିକାନ୍ତି ସହ ଧୂପନୀତି ରହିଛି । ଭିତର କାଠ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଗଲେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେବା ସହ ଭକ୍ତଙ୍କ ଦର୍ଶନ ନେଇ ସମସ୍ୟା ଉପୁଜିବ । ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ, ଟଏଲେଟ୍, ପାନୀୟ ଜଳ ବ୍ୟବସ୍ଥା, ବିଶ୍ରାମ ସ୍ଥଳୀ ନିର୍ମାଣ ହୋଇଛି ।