ଓଡିଶା

odisha

ETV Bharat / state

ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼ - radhapada darshan at Sakhigopal temple

ଆଜି ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳରେ ଥିବା ସାକ୍ଷୀଗୋପିନାଥ ମନ୍ଦିରରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ଅଧିକ ପଢନ୍ତୁ

ଆଜି ପବିତ୍ର ଅଁଳା ନବମୀ
ଆଜି ପବିତ୍ର ଅଁଳା ନବମୀ

By ETV Bharat Odisha Team

Published : Nov 21, 2023, 9:55 AM IST

Updated : Nov 21, 2023, 5:35 PM IST

ଆଜି ପବିତ୍ର ଅଁଳା ନବମୀ

ପୁରୀ:ଆଜି ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇଉଠିଛି ସାକ୍ଷୀଗୋପିନାଥ ମନ୍ଦିର । ଭଗବାନ କୃଷ୍ଣଙ୍କ ନଟବର ବେଶ ଓ ରାଧାରାଣୀଙ୍କ ଓଡିଆଣୀ ବେଶ ବା ରାଧାପାଦ ଦର୍ଶନ କରିବାର ସୁଯୋଗ ପାଉଛନ୍ତି ଶ୍ରଦ୍ଧାଳୁ । କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥିରେ ଏହି ଅନନ୍ୟ ଦିନକୁ ଚାହିଁ ରହିଥିବା ଭକ୍ତର ମନୋବାଞ୍ଛା ପୂର୍ଣ୍ଣ ହୋଇଛି । ଏନେଇ ସାକ୍ଷୀଗୋପାଳରେ ଥିବା ସାକ୍ଷୀଗୋପିନାଥ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ରାଧାପାଦ ଦର୍ଶନ ପାଇଁ ଧାଡି ବନ୍ଧି ଛିଡା ହୋଇଛନ୍ତି ଭକ୍ତ ।

ତେବେ ଗତକାଲି ମଧ୍ୟରାତ୍ରିରୁ ମନ୍ଦିର ଦ୍ୱାର ଫିଟା ନୀତି ସହ ଅନ୍ୟ ନୀତି ଅନୁଷ୍ଠିତ ହୋଇଛି । ରାତି 3ଟାରୁ ଦର୍ଶନ ଆରମ୍ଭ ହୋଇଛି । ପବିତ୍ର ଅଁଳା ନବମୀରେ ବର୍ଷକରେ କେବଳ ଏହି ଗୋଟିଏ ଦିନରେ ହିଁ ଶ୍ରୀରାଧା ରାଣୀଙ୍କ ପାଦ ଦର୍ଶନର ସୌଭାଗ୍ୟ ଲାଭ କରନ୍ତି ଭକ୍ତ । ରାଧା ପାଦ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି । ସାକ୍ଷୀଗୋପାଳକୁ ଉତ୍ତର ଭାରତ ଅଞ୍ଚଳରୁ ପ୍ରଭୁ ସାକ୍ଷୀଗୋପୀନାଥ ଓ ଶ୍ରୀ ରାଧାରାଣୀ ଆସିଥିବାରୁ ଠାକୁରାଣୀ ଶ୍ରୀରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି ।

ଫଳରେ ବର୍ଷ ସାରା ଠାକୁରାଣୀଙ୍କ ପାଦ ପିନ୍ଧା ବସ୍ତ୍ରରେ ଆବୃତ୍ତ ହୋଇ ରହିଥାଏ । ତେବେ ପବିତ୍ର ଅଁଳା ନବମୀ ତିଥିରେ ଗୋଟିଏ ଦିନ ଲାଗି ଠାକୁରାଣୀ ଶ୍ରୀରାଧା ରାଣୀ ଓଡ଼ିଆଣୀ ବେଶ ହୋଇଥାନ୍ତି । ଫଳରେ ଠାକୁରାଣୀଙ୍କ ପିନ୍ଧା ବସ୍ତ୍ର ପାଦ ଉପରକୁ ରହିଥାଏ ଏବଂ ଭକ୍ତମାନଙ୍କୁ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ । ତେବେ ଏହି ବେଶ ଦର୍ଶନ ପାଇଁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩ ଥାକିଆ ବାଉଁଶ ବ୍ୟାରିକେଡର ନିର୍ମାଣ ହୋଇଛି । ଭକ୍ତମାନେ ଧାଡ଼ିରେ ଆସି ବ୍ୟାରିକେଡ୍ ମଧ୍ୟରେ ଯାଇ ଦର୍ଶନ କରୁଛନ୍ତି । ପ୍ରଶାସନ ତରଫରୁ ମନ୍ଦିର ପରିସର ଓ ସିଂହଦ୍ଵାର ସମ୍ମୁଖରେ ସିସିଟିଭି ଲଗାଯାଇଥିବା ବେଳେ 20 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ରାତି ପାହିଲେ ପବିତ୍ର ଅଁଳା ନବମୀ, ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ସବୁ ପ୍ରସ୍ତୁତି ଶେଷ

ସେପଟେ ଭକ୍ତମାନଙ୍କ ସୁବିଧା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳ ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ହୋଇଛି । ସାକ୍ଷୀଗୋପାଳ ମନ୍ଦିର, ମନ୍ଦିର ଚାରିପାଖ, ବଜାର ରାସ୍ତାରେ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଇଛି । ତେବେ ଏହି ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଛି । ତେବେ ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଆସି ପ୍ରଭୁ ସାକ୍ଷୀଗୋପିନାଥ ଓ ଶ୍ରୀରାଧା ରାଣୀଙ୍କ ପାଦପଦ୍ମକୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏଥିସହ ପୂର୍ବ ଭଳି ଶ୍ରୀରାଧା ରାଣୀଙ୍କ ପାଦ ସ୍ପର୍ଶ ଉପରେ କଟକଣା ରହିଛି ।

ଇଟିିଭି ଭାରତ, ପୁରୀ

Last Updated : Nov 21, 2023, 5:35 PM IST

ABOUT THE AUTHOR

...view details