ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମ; ସମର୍ଥନ କଲେ ଭକ୍ତ

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କୁ ଶାଳୀନତା ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ । ଏଭଳି ନିଷ୍ପତ୍ତିକୁ ଭକ୍ତ ମହଲରେ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମକୁ ଭକ୍ତଙ୍କ ସମର୍ଥନ
ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମକୁ ଭକ୍ତଙ୍କ ସମର୍ଥନ

By ETV Bharat Odisha Team

Published : Oct 10, 2023, 2:19 PM IST

ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମକୁ ଭକ୍ତଙ୍କ ସମର୍ଥନ

ପୁରୀ: ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା । ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । ଆସନ୍ତା ଜାନୁଆରୀ ୧ ତାରିଖରୁ କଡାକଡି ଭାବେ ଲାଗୁ ହେବ ଏହି ନିର୍ଦ୍ଦେଶ । ତେବେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଭକ୍ତ ମହଲରେ ମଧ୍ୟ ସ୍ଵାଗତ କରାଯାଇଛି । ଶ୍ରୀମନ୍ଦିର ହେଉଛି ଏକ ପବିତ୍ର ସ୍ଥାନ । ବହୁ ଦୂରଦୂରାନ୍ତରରୁ ଭକ୍ତ ମହାପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ ଆସୁଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ପରିସରରେ ଆଧ୍ୟାତ୍ମିକ ବାତାବରଣ ରହିବା ଉଚିତ୍ । ଏଣୁ ଶ୍ରୀମନ୍ଦିରକୁ ଆସିଥିବା ଭକ୍ତ ପୂର୍ଣ୍ଣ ପୋଷାକ ପିନ୍ଧି ଆସିବା ଉଚିତ୍ । ଏହାଦ୍ବାରା ଆଧ୍ୟାତ୍ମିକ ବାତାବରଣ ବଜାୟ ରହିବା ସହ ମନକୁ ଶାନ୍ତି ମିଳିଥାଏ । ଭାରତର ଅନେକ ପ୍ରସିଦ୍ଧ ମନ୍ଦିରରେ ଏହି ନିୟମ ଥିବାବେଳେ ଜଗନ୍ନାଥ ମନ୍ଦିରରେ ଏହି ନିୟମ ଲାଗୁ ଠିକ୍ ହୋଇଛି ବୋଲି ମତ ପ୍ରକାଶ କରିଛନ୍ତି ଭକ୍ତ ।

ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିବା ବେଳେ ଏବେ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ନୂଆବର୍ଷ ଠାରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ ଆଜିଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ସଚେତନତା କରିବ । ଜାନୁଆରୀ 1 ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ । ଆସନ୍ତା ଜାନୁୟାରୀ 1 ତାରିଖରୁ ଯେଉଁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ନ ପିନ୍ଧି ଶ୍ରୀମନ୍ଦିର ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଶ୍ରୀମନ୍ଦିରକୁ ପ୍ରଵେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ କଡ଼ାକଡ଼ି ହେବ ନିୟମ

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ଧାର୍ମିକ ପୀଠର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ତାହାକୁ ସମସ୍ତେ ମାନିବାକୁ ପଡ଼ିବ । ଅନ୍ୟ ଧର୍ମରେ ବି ଧର୍ମୀୟସ୍ଥଳୀକୁ ଯିବା ପାଇଁ କିଭଳି ପୋଷାକ ପରିଧାନ କରିବେ ସେନେଇ ନିୟମ ରହିଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ପୋଷାକରେ ଶାଳୀନତା ରଖିଲେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରହିବ । ଆଧୁନିକ ପୋଷାକ ପିନ୍ଧି ସବୁ ଜାଗାକୁ ଲୋକେ ଯାଇପାରିବେ । ହେଲେ ଧର୍ମାନୁଷ୍ଠାନରେ ଏହା ଚଳିବ ନାହିଁ । ଆମ ପରମ୍ପରା ଅନୁଯାୟୀ ଡ୍ରେସ ପିନ୍ଧିବାକୁ ପଡ଼ିବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details