ପୁରୀ:ପୁଣି ମହାପ୍ରଭୁଙ୍କୁ ଅପମାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନନ୍ଦିଘୋଷ ରଥର ଚକ ଓ ଗୁଜ ପରିତ୍ୟକ୍ତ ଅବସ୍ଥାରେ ଚାଉଳ ଗୋଦାମ ଭିତରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ପୁରୀ କଲେଜ ଛକ ନିକଟ ଏକ ଚାଉଳ ଗୋଦାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯେତେବେଳେ ରଥର ବିଭିନ୍ନ ଅଂଶକୁ ବିକ୍ରି କରାଯାଉଛି, ସେତେବେଳେ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିବା ଲାଗି ଦାବି କରିଛନ୍ତି ଶ୍ରଦ୍ଧାଳୁ ।
ରଥ ଚକ କିଣିଥିବା ବ୍ୟକ୍ତି ଅତ୍ୟନ୍ତ ଦାୟିତ୍ବହୀନ ଭାବେ ମହାପ୍ରଭୁଙ୍କ ରଥର ଏହି ଅଂଶକୁ ପରିତ୍ୟକ୍ତ ଅବସ୍ଥାରେ ପକାଇ ରଖିଛନ୍ତି । ଏହି ଦୃଶ୍ୟ ଦେଖି ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି। ଏସସିଏସ କଲେଜ ନିକଟରେ ଥିବା ଏକ ଚାଉଳ ଗୋଦାମ ଭିତରେ ଅତ୍ୟନ୍ତ ଧୂଳି ଧୂସର ଅବସ୍ଥାରେ ନନ୍ଦିଘୋଷ ରଥର ଚକ ଓ ଗୁଜ ପଡ଼ି ରହିଛି । କେବଳ ସେତିକି ନୁହେଁ ଚକ ଓ ଗୁଜ ପାଖରେ ପଡ଼ି ରହିଛି ଅଇଁଠା ପାଣି ବୋତଲ ସହ ଅଳିଆ ସଫା କରାଯାଉଥିବା ଏକ ବେଲଚା ।
ପବିତ୍ର ନନ୍ଦିଘୋଷ ରଥର ଚକ ଓ ଗୁଜର ଏଭଳି ଅବସ୍ଥାକୁ ଦେଖି ଜଗନ୍ନାଥ ପ୍ରେମୀଙ୍କୁ ବେଶ ଆଘାତ ଲାଗିଛି । ଯେଉଁ ରଥକୁ ଭକ୍ତମାନେ ଦେବତା ତୁଲ୍ୟ ମନେକରି ପ୍ରଣାମ କରିଥାନ୍ତି ଏବଂ ଏହାର ଅଂଶକୁ ଘରେ ଆଣି ପୂଜାର୍ଚ୍ଚନା କରିଥାନ୍ତି ସେହି ରଥର ଚକ ଓ ଗୁଜକୁ ଏଭଳି ଅପମାନ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥ ପ୍ରେମୀ । ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବା ସହ ରଥ ଚକ ନେଉଥିବା ବ୍ୟକ୍ତି ଓ ଅନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି ଭକ୍ତ ଓ ସେବାୟତ।