ପୁରୀ: ମହାଧାର୍ମିକ କାର୍ତ୍ତିକ ମାସରେ ଶ୍ରୀମନ୍ଦରରେ ଶୋଷଣର ଶିକାର ହେଉଛନ୍ତି ଭକ୍ତବୃନ୍ଦ । ଅବଢ଼ା ବିକ୍ରିକୁ ନେଇ ଅଣସେବାୟତ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କୁ ଚଢ଼ାଦରରେ ଅଭଡ଼ା ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅବଢ଼ା ମୂଲ୍ୟର ପ୍ରାୟ ତିନି ଗୁଣା ଅଧିକ ଦରରେ ଭକ୍ତଙ୍କୁ ବିକ୍ରି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଓ କିଛି ସେବାୟତଙ୍କ ଜାଣତରେ ଏସବୁ ହେଉଥିବା ଅଭିଯୋଗ ହେଲାଣି । ସେପଟେ ପ୍ରଶାସନିକ ଅଧିକାରୀଙ୍କୁ ପଚାରିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ।
ଚଢ଼ାଦର ଅଭଡ଼ାରେ ଅତିଷ୍ଠ ଶ୍ରଦ୍ଧାଳୁ
ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି । ଏହି ସମୟରେ ମହାପ୍ରସାଦ ପାଇବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ହେଲେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଚଢ଼ାମୂଲ୍ୟରେ ଅଭଡ଼ା ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏହାକୁ ରୋକିବାକୁ କାର୍ତ୍ତିକ ମାସ ପୂର୍ବରୁ ମନ୍ଦିର ପ୍ରଶାସନର ଏକ ବୈଠକ ହୋଇଥିଲା । ବୈଠକରେ ପୋଲିସ, ସେବାୟତ, ଆନନ୍ଦ ବଜାରର ସେବାୟତ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ କିଭଳି ଶ୍ରଦ୍ଧାଳୁ ସମସ୍ୟାରେ ପଡ଼ିବେନି ସେନେଇ ଦୃଷ୍ଟି ଦେବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ବାସ୍ତବ ଚିତ୍ର କିଛି ଅଲଗା କଥା କହୁଛି ।
ଏହାକୁ ନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି, "ଦୂରଦୁରାନ୍ତରୁ ମହାପ୍ରଭୁଙ୍କ ଦର୍ଶନ ପାଇବାକୁ ଆସୁଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ପ୍ରସାଦ ଟିକିଏ ପାଇବା ପାଇଁ ନାନା ସମସ୍ୟାରେ ପଡ଼ୁଛନ୍ତି । ଅଧିକ ମୂଲ୍ୟରେ ଅଭଡ଼ା ମିଳୁଥିବାରୁ ଅଧିକାଂଶ ପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି । ଯଦି ରେଟଚାର୍ଟ ଲାଗନ୍ତା ତେବେ ଶ୍ରଦ୍ଧାଳୁ ଜାଣି ପାରନ୍ତେ କେଉଁଟା କେତେ ଦର । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସମସ୍ୟା ଭୋଗୁଛନ୍ତି ଶ୍ରଦ୍ଧାଳୁ ।"
ସବୁ ଜାଣି ପ୍ରଶାସନ ଚୁପ୍ !
ଶ୍ରୀମନ୍ଦିରରେ ସମସ୍ତ ସୁବିଧା ଓ ବ୍ୟବସ୍ଥା କରାଯାଉଥିବା କହି ବାଃ ବାଃ ନେଉଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଅଭଡ଼ା ଚଢ଼ାଦରରେ ବିକ୍ରି ହେଉଥିବା ଜାଣି ମଧ୍ୟ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ମହାପ୍ରସାଦ ବିକ୍ରି କରୁଥିବା କିଛି ସେବାୟତ ମିଳିମିଶି ଅଭଡ଼ା ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି ? ଆନନ୍ଦ ବଜାର ବାହାରେ ମହାପ୍ରସାଦ ବିକ୍ରି ନେଇ କିଏ ଅନୁମତି ଦେଇଛି ? ଏତେ ମାତ୍ରାରେ ସିସିଟିଭି, ଜେଟିପି ଓ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରେହୁଛନ୍ତି, ହେଲେ ଦଲାଲମାନଙ୍କୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ କାହିଁକି ? ମହାପ୍ରସାଦକୁ ନେଇ ଏଭଳି ଦଲାଲି ଏବଂ କମିଶିନ୍ କାରବାର ଚାଲିଥିବା ଅଭିଯୋଗ ହୋଇଛି ।
ଏହାକୁ ନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, "ଏ ବାବଦରେ ଆମେ ଅନେକ ଥର ଆଲୋଚନା କରିଛୁ । ଆମେ ଜାଣିଛୁ ଯେ ଭକ୍ତମାନେ ଶୋଷଣର ଶିକାର ହେଉଛନ୍ତି । ଦାରଚାର୍ଟ ମରାଯିବା ଦରକାର । ଦଲାଲମାନେ ଯେଉଁ ବିଶୃଙ୍ଖଳା କରୁଛନ୍ତି ସେଥିପାଇଁ ସ୍ବତନ୍ତ୍ର ୧୦ଟି ସ୍କ୍ବାଡ ବ୍ୟବସ୍ଥା କରାଯାଉଛି । ସେମାନେ ଅଣସେବାୟତ ତଥା ଦଲାଲଙ୍କ ବିରୁଦ୍ଧରେ ରିପୋର୍ଟ ଦେବେ । ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।"