ପୁରୀ: ପ୍ରତୀକ୍ଷାର ଅନ୍ତ । ଘୋଷଯାତ୍ରାର ଆଦ୍ୟପର୍ବ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଆଜି ଚଳଚଞ୍ଚଳ ଥିଲା ଶ୍ରୀକ୍ଷେତ୍ର ପୁରୀ । ସକାଳୁ ସକାଳୁ ବଡଦାଣ୍ଡରେ ଲାଗିଥିଲା ଗହଳିଚହଳି । ସମସ୍ତ ନୀତିକାନ୍ତି ସରିବା ପରେ ଧାଡି ପହଣ୍ଡିରେ ସ୍ନାନବେଦୀକୁ ଆସିଥିଲେ ଚତୁର୍ଦ୍ଧାମୂରତି । 108 ଗରା ସୁବାସିତ ଜଳରେ ମହାବାହୁ ଗାଧୋଇବା ପରେ ଗଜ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ ।
ଘୋଷଯାତ୍ରାର ଆଦ୍ୟପର୍ବ କୁହାଯାଉଥିବା ଏହି ପୂର୍ଣ୍ଣମୀରେ ରତ୍ନ ସିଂହାସନ ଛାଡି ସ୍ନାନବେଦୀକୁ ଆସିଥାନ୍ତି ମହାବାହୁ ।108 ଗରା ସୁବାସିତ ଜଳରେ ଶ୍ରୀଜୀଉ ଗାଧୋଇଥାନ୍ତି । ମଧ୍ୟାହ୍ନରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାସ୍ନାନ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କୁ ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରିଥିଲେ । ଆଉ ଏହି ମହାସ୍ନାନ ଦେଖିବାକୁ କାହିଁ କେତେଦୂରରୁ ଭକ୍ତ ପୁରୀ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥିଲେ ।