ପୁରୀ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରଵେଶ ଅନୁମତି ଦିଆଯାଉ । କୋଭିଡ ମହାମାରୀ ବ୍ୟାପିବା ଆଶଙ୍କା ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ରାଜ୍ୟ ସରକାର କରିଥିବା କଟକଣା ଠିକ ନୁହେଁ । ଯେତେବେଳେ କୋଭିଡ ଗାଇଡଲାଇନ ଅନୁସାରେ କେନ୍ଦ୍ର ସରକାର ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଉଚିତ ନୁହେଁ । ତୁରନ୍ତ ରାଜ୍ୟ ସରକାର କୋଭିଡ କଟକଣା ଭିତ୍ତିରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦିଅନ୍ତୁ । ଏହି ଦାବି ନେଇ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଅରୁଣ ସ୍ତମ୍ଭ ନିକଟରେ ଧରଣା ଦେଇଥିଲେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର ।
ସେ ପ୍ରଶ୍ନ କରିଛନ୍ତି ଯେ, କୋଭିଡ ସମୟରେ ଯେତେବେଳେ ସ୍ଵର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ହଜାର ହଜାର ଲୋକଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇଥିଲା, ତେବେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା କାହିଁକି । ସେହିପରି ଭକ୍ତ ପ୍ରବେଶ କଟକଣା ପରେ ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ଶ୍ରୀମନ୍ଦିର ପ୍ରଶାସନ 8 ମାସ ଭିତରେ ମାତ୍ର 15 ହଜାର ଟଙ୍କା ଦେଇଛି ଆର୍ଥିକ ସହାୟତା । ଯାହା ଘର ଚଳାଇବା ସମ୍ପୂର୍ଣ୍ଣ ଅସମ୍ଭବ । ତୁରନ୍ତ ଉଭୟ ଭକ୍ତ ଓ ସେବାୟତଙ୍କ ଆସ୍ଥା ଓ ଜୀବନଜୀବିକା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦ୍ୱାରରେ ପ୍ରତି ଦୁଇ ଘଣ୍ଟାରେ ଥରେ 50 ଜଣ ଲେଖାଏଁ ଭକ୍ତଙ୍କୁ କୋଭିଡ ଗାଇଡ଼ଲାଇନ ଅନୁସାରେ ପ୍ରବେଶ ଅନୁମତି ଦେବାକୁ ଦାବି କରିଛନ୍ତି ।