ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି, ଦସ୍ତଖତ ଅଭିଯାନ ଆରମ୍ଭ - ପୁରୀର ସଚେତନ ନାଗରିକ ମଞ୍ଚ

ଶ୍ରୀମନ୍ଦିରର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବାକୁ ପୁରୀର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ

demand for the vision
demand for the vision

By

Published : Jul 16, 2023, 1:34 PM IST

demand for the vision

ପୁରୀ: ପୂର୍ବଭଳି ଶ୍ରୀମନ୍ଦିରର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି । ଏନେଇ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ । ଏକ ଲକ୍ଷ ଦସ୍ତଖତ କରାଯାଇ ଏହା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ମାଧ୍ୟମରେ ପଠାଯିବ । ପୁରୀର ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଏହି ଦସ୍ତଖତ ଅଭିଯାନ ଆୟୋଜନ କରାଯାଇଛି ।

ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାସ କହିଛନ୍ତି, ‘ଭକ୍ତ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରି ଦ୍ଵାର ପୂର୍ବ ଭଳି ଭକ୍ତଙ୍କ ପାଇଁ ଖୋଲି ଦିଆଯାଉ । କେବଳ ସିଂହଦ୍ଵାର ଦେଇ ପ୍ରବେଶ ଅନୁମତି ଥିବାରୁ ଅଯଥାରେ ଭିଡ ହେଉଛି । ବିଭିନ୍ନ ପର୍ବ ପର୍ବାଣୀ ଓ ଛୁଟି ଦିନରେ ଏହି ଲାଇନ ଏକ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଉଛି । ଲାଇନରେ ଠିଆ ହୋଇ ବହୁ ଭକ୍ତ ଦୁର୍ଦ୍ଦଶା ମଧ୍ୟ ଭୋଗୁଛନ୍ତି । ଦୀର୍ଘ ସମୟ ଲାଇନରେ ଠିଆ ହୋଇ ଅନେକ ଭକ୍ତ ଚେତାଶ୍ବନ୍ୟ ହୋଇ ପଡ଼ୁଥିବା ବେଳେ ଅନେକ ବୃଦ୍ଧ ଲୋକ, ମହିଳା, ଛୋଟ ପିଲା ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପାରୁନାହାନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ଅଶାନ୍ତିରେ ଫେରୁଛନ୍ତି ।

ସେହିପରି ଯେଉଁ ମାନେ ଶ୍ରୀମନ୍ଦିରକୁ କେବଳ କିଛି ଅବଢ଼ା ଆଣିବା ପାଇଁ ଯିବାକୁ ଚାହୁଁଛନ୍ତି ସେମାନେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ରହୁଛନ୍ତି । ଯାହାକି ବେଶ୍ କଷ୍ଟଦାୟକ । ପୂର୍ବରୁ ଉତ୍ତରଦ୍ଵାର ଦେଇ ଭକ୍ତ ମାନେ ମହାପ୍ରସାଦ ପାଇଁ ଆନନ୍ଦ ବଜାର ଯାଉଥିଲେ । ହେଲେ କେବଳ ସିଂହଦ୍ଵାର ଦେଇ ପ୍ରବେଶ ନିୟମ ପରେ ଭକ୍ତ ମହାପ୍ରସାଦ ପାଇଁ ସିଧାସଳଖ ଆନନ୍ଦ ବଜାର ଯାଇ ପାରୁନାହାନ୍ତି । ଫଳରେ କେତେକ ଦଲାଲଙ୍କ ହାବୁଡାରେ ପଡ଼ି ମହାପ୍ରସାଦ କିଣିବା ନାଁରେ ଶୋଷଣର ଶିକାର ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଚେଇଁଲା ଶ୍ରୀମନ୍ଦିର ପ୍ରଶାସନ: ଆନନ୍ଦ ବଜାରରୁ ତଡା ଖାଇବେ ଅଣସୁପକାର, ଗଠନ ହେଲା ସ୍ବତନ୍ତ୍ର କମିଟି

ଅନ୍ୟପଟେ ପୁରୀ ବାସିନ୍ଦା ପ୍ରତିଦିନ ମଙ୍ଗଳ ଆଳତି, ବଡସିଂହାର ବେଶ ଦର୍ଶନ ପାଇଁ ବିଭିନ୍ନ ଦ୍ଵାରରେ ପ୍ରଵେଶ କରି ଆନନ୍ଦରେ ଦର୍ଶନ କରି ଫେରୁଥିଲେ । ହେଲେ କେବଳ ସିଂହଦ୍ଵାରରେ ପ୍ରବେଶ ଅନୁମତି ଫଳରେ ପୁରୀ ବାସିନ୍ଦାମାନେ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ସହ ଲାଇନରେ ରହି ସିଂହଦ୍ଵାର ଦେଇ ପ୍ରବେଶ କରୁଛନ୍ତି । ଏଥିପାଇଁ କେତେବେଳେ ଏକ ଘଣ୍ଟା ତ କେତେବେଳେ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଫଳରେ ପୁରୀ ବାସିନ୍ଦା ଆଉ ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରି ପାରୁନାହାନ୍ତି ।

ଯାହାକୁ ନେଇ ପୁରୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଭକ୍ତଙ୍କ ସୁବିଧା ପାଇଁ ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଳିବାକୁ ନିର୍ଦ୍ଦେଶ ଦେବାକୁ ସଚେତନ ନାଗରିକ ମଞ୍ଚ ଦାବି କରିଛି । ଖୁବ ଶୀଘ୍ର ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ, ଶ୍ରୀ ମନ୍ଦିର ଛତିଶା ନିଯୋଗକୁ ସଚେତନ ନାଗରିକ ମଞ୍ଚ ଭେଟି ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବାରେ ହସ୍ତକ୍ଷେପ କରିବାକୁ ଦାବି କରାଯିବ ବୋଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details